ହାତୀ ମୃତ୍ୟୁ ରୋକିବା ବନ ବିଭାଗ ର ଦାୟିତ୍ୱ ନୁଁହ କି ?
ହାଟଡ଼ିହି, (ବିକାଶ ବିଶ୍ୱାଳ):କଣ୍ଟିପାଳ ନିକଟସ୍ଥ ପଇତାପାଣି ପାହାଡ଼ ଠାରୁ ଖଇରା ଅଞ୍ଚଳର ଶୁଆଶାରୀ ପାହାଡ଼ ପର୍ଯ୍ୟନ୍ତ ଲାଗିଥିବା ହଦଗଡ଼ ରେଞ୍ଜ ଅଧୀନସ୍ଥ ଜଙ୍ଗଲକୁ ବନ ବିଭାଗ ପକ୍ଷରୁ ୧୯୭୮ ମସିହାରୁ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଘୋଷଣା କରାଯାଇଛି। ଏଠାରେ ଏବେ୨୨ରୁ ଉର୍ଦ୍ଧ ହାତୀ ଥିବା ଗଣନା କରାଯାଇଛି। କିନ୍ତୁ ଗତ କିଛିବର୍ଷ ଧରି ଏଠାରେ ବାରମ୍ବାର ହାତୀ ମୃତ୍ୟୁ ଲାଗି ରହିଥିବାରୁ ଏଠାରେ ହାତୀମାନେ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଗତ ୧୫ଦିନ ତଳେ ନିଉଦାନୀ ଗାଁରେ ଏକ ଦନ୍ତାର ମୃତ୍ୟୁ ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ଗତ ୬/୭ ବର୍ଷ ହେଲା ହଡଗଡ଼ ଅଭୟାରଣ୍ୟରୁ ଦୁଇଟି ହାତୀ ଡିସେମ୍ବର, ଜାନୁୟାରୀ ମାସରୁ ଗାଁ ଭିତରକୁ ପଳାଇ ଆସି ବାଲିବରେଇ, ନୂଆଗାଁ, ବାଘୁଆ, ସୋସୋ, ନିଉଦାନୀ, କାନପୁର, ଦନେଇପୁର, ପାଟକନା ଆଦି ଗ୍ରାମରେ ଥିବା ତୋଟା ମାନଙ୍କରେ ବାସ କରୁଥିଲେ। ଦିନେ କି ଦୁଇଦିନ ନୁଁହ, ମାସ ମାସ ଧରି ଏଠାରେ ଅବସ୍ଥାନ କରି ଧନ ଜୀବନ ହାନି ଘଟାଉଥିଲେ। ବାଲିବରେଇ, ନୂଆଗାଁ, ବାଘୁଆ, ସୋସୋ, ନିଉଦାନୀ, କାନପୁର, ଦନେଇପୁର, ପାଟକନା ଆଦି ଗ୍ରାମର ଲୋକମାନଙ୍କ ମୁଖ୍ୟ ବେଉସା ଥିଲା ଆମ୍ବ, ପଣସ, ସପୁରୀ ଆଦି ଚାଷ । ଏକର ଏକର ଜମିରେ ଆମ୍ବ ପଣସ ସହିତ ସପୁରୀ ଚାଷ କରି ନିଜ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ଗତ ୬/୭ ବର୍ଷ ହେଲା ଦୁଇଟି ଦନ୍ତା ଆସି ଉତ୍ପାତ କରିବା ପରେ ଚାଷୀମାନେ ନାହିଁ ନଥିବା କ୍ଷୟକ୍ଷତିର ସମ୍ମୁଖିନ ହେଉଥିଲେ। ଏକର ଏକର ଚାଷ ନଷ୍ଟ ହେଉଥିବା ବେଳେ କିଛି ହାତ ଗଣତି ଚାଷୀ କ୍ଷତିପୂରଣ ପାଆନ୍ତି। ତିନିବର୍ଷ ତଳେ କାନପୁର ଗ୍ରାମର ଜଣେ ମହିଳା ନିଜ ତୋଟାକୁ ଯାଉଥିବା ବେଳେ ତାଙ୍କୁ ହାତୀ ମାରିଦେବା ପରେ ହାତୀ ଭୟରେ ଚାଷୀ ମାନେ ତୋଟାକୁ ଯାଉନଥିଲେ। ଏହାର ସୁଯୋଗରେ କେତେକ ଦୁର୍ବୁତ୍ତ ଆମ୍ବ ପଣସ ଲୁଟ କରୁଥିଲେ ବି ନିରୁପାୟ ଚାଷୀ କାନ ମୁଣ୍ଡ ଆଉଁସି ନିରବ ରହୁଥିଲେ। ଗତବର୍ଷ ଠାରୁ ବଡ ଓ ହିଂସ୍ର ଦନ୍ତାଟି ଆସୁ ନଥିବା ବେଳେ ଅନ୍ୟ ଦନ୍ତା ହାତୀଟି ଆସି ଏହି ଅଂଚଳରେ ରହୁଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ବନ ବିଭାଗ ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ନେବାକୁ ସେପରି ଆଖି ଦୃଶିଆ ପଦକ୍ଷେପ ନେଉ ନଥିଲା। ହାତୀଙ୍କ ପାଇଁ ଅଭୟାରଣ୍ୟ ହୋଇଛି। ହାତୀ ଅଭୟାରଣ୍ୟ ଭିତରେ ରହିବ କଥା। ହାତୀ ଜନ ବସତି ଅଞ୍ଚଳକୁ ନ ଆସିବା ପାଇଁ ଜଙ୍ଗଲ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତିବର୍ଷ ଟ୍ରେଞ୍ଚ ଖୋଳୁଥିଲା। ଯାହାଦ୍ୱାରାକି ହାତୀ ଜଙ୍ଗଲ ବାହାରକୁ ଆସିପାରିବନି। କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଥିଲା। ସବୁଆଡେ ଟ୍ରେଞ୍ଚ ଖୋଳା ଯାଇନଥିଲା। ସେହିପରି ବିଭିନ ସ୍ଥାନରେ ତାର ବାଡ ମଧ୍ୟ ବସାଇଥିଲା। କିନ୍ତୁ ଫାଙ୍କା ବାଟ ଦେଖି ହାତୀ ଆମ୍ବ ତୋଟା ମାନଙ୍କରେ ଅବସ୍ଥାନ କରିବା ସହିତ ଜଙ୍ଗଲକୁ ଫେରୁ ନଥିଲା। ଯେହେତୁ ହାତୀଟି ଜନବସତି ଅଞ୍ଚଳରେ ରହୁଥିଲା ତେବେ ସେଥିପାଇଁ ବନବିଭାଗ ତାର ସୁରକ୍ଷା ପାଇଁ କୌଣସି ଠୋସ ପଦକ୍ଷେପ ନେଉ ନଥିଲା। ସନ୍ଧ୍ୟା ହେଲେ କିଛି କର୍ମଚାରୀ ଆସି ଏ ଅଂଚଳରେ ବୁଲିଥାନ୍ତି। କିନ୍ତୁ ହାତୀର ଗତିବିଧି ଉପରେ ସେପରି ନଜର ରଖୁନଥିଲେ। ଯାହାକି ହାତୀ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ହଡଗଡ଼ ରେଞ୍ଜର ମାର୍ଶାଲ କିସ୍କୁ ଙ୍କ କହିବା କଥା ଯେ ହାତୀମାନେ ବିଭିନ୍ନ ସମୟରେ ଏ ଜଙ୍ଗଲରୁ ସେ ଜଙ୍ଗଲ ବୁଲିଥାନ୍ତି। ବିଶେଷ କରି ଆମ୍ବ ପଣସ ପାଚିବା ସମୟରେ ଥରେ ଦୁଇଥର ଆସି ଖାଇବା ପରେ ନିୟମିତ ଆସୁଥିଲେ। ସେମାନଙ୍କୁ ଅନେକ ଥର ଜଙ୍ଗଲ ଭିତରକୁ ଫେରାଇ ନିଆଯାଇଛି। ଯେହେତୁ ଜଙ୍ଗଲ ନିକଟରେ ଏହି ତୋଟା ସବୁ ଅଛି ତେଣୁ ଦିନେ ଦୁଇଦିନ ଭିତରେ ପୁଣି ସେମାନେ ଫେରି ଆସନ୍ତି। ତେଣୁ ଆମର ଫରେଷ୍ଟ ସ୍କ୍ୱାର୍ଡ ନିୟୋଜିତ କରି ହାତୀର ଗତିବିଧି ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି।