ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଛ ଭାରତ ମିଶନ ଫେଲ୍
ହିଂଜିଳିକାଟୁ, (ଶେଷଦେବ ସାହୁ): ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତମ ପରିବେଷ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ଥିଲା ବେଳେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ପ୍ରାୟ ୪୦ ରୁ ଉଦ୍ଧ୍ୱର୍ ଗ୍ରାମର ଜନସାଧାରଣ ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶିଳ । ପ୍ରତ୍ୟେକ ଦିନ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପାଖାପାଖି ସବୁ ବର୍ଗକୁ ହିସାବକୁ ନେଲେ ପ୍ରାୟ ୩ ଶହରୁ ଉଦ୍ଧ୍ୱର୍ ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି । ଚିକିତ୍ସାକେନ୍ଦ୍ର ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ବିଲ୍ଡ଼ିଂ କରକୁ ଛାଡ଼ି ଦେଲେ ସ୍ୱାସ୍ଥ୍ୟକେନ୍ଦ୍ରଟିର ସାଧାରଣ ରୋଗୀଙ୍କ ମୌଳିକ ଅଧିକାର ଓ ପରିବେଷ ଉପରେ ଆଜି ଯେଏଁ ବିଶେଷ ଧ୍ୟାନ ଦିଆନଯିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁଗୁଣ ମାନସିକତାର ପରିଚୟ ସୃଷ୍ଟି କରୁଛି । ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ ହେବାର ଦୀର୍ଘ ଦଶନ୍ଧି ଅତିକ୍ରାନ୍ତ କରିଥିଲେ ସୁଦ୍ଧା ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଯଥା ପୂର୍ବ ତଥା ପରଂ ନୀତିରେ ଚାଲୁଥିବା ଅନୁମେୟ ହୁଏ । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ସାଧାରଣ ରୋଗୀଙ୍କୁ ତାଙ୍କ ମୌଳିକ ସୁବିଧା ଯୋଗାଇ ନପାରିବା ହିଂଜିଳିକାଟୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଶୌଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏହାର ଜ୍ଜଳନ୍ତ ଉଦାହରଣ ହେଲା ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣ ରୋଗୀଙ୍କ ପାଇଁ ସ୍ୱଛ ପିଇବା ପାଣି, ଆବଶ୍ୟକତା ପୂରଣ ପାଇଁ ଶୌଚାଳୟ ଏବଂ ୟୁରିନାଲର ଅଭାବ ଥିବା ଅତ୍ୟନ୍ତ ଦୁଃଖର ବିଷୟ । ସ୍ୱଚ୍ଛ ଭାରତ ମିଶନ ଜରିଆରେ ପରିବେଷକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ଘରକୁ ପାଇଖାନା ସୁବିଧା ଯୋଗାଇ ଲୋକଙ୍କୁ ପାଇଖାନା ବ୍ୟବହାର କରି ପରିବେଷ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପରିତାପର ବିଷୟ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ବିପରୀତ ଅବସ୍ଥା ଦେଖିବାକୁ ମିଳୁଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରକାରର ରୋଗୀ ଆସିଥାନ୍ତି । ସେଥି ମଧ୍ୟରୁ ଅନେକ ମହିଳା ସାଧାରଣ ରୋଗୀଙ୍କ ସହ ଅନେକ ଗର୍ଭବତି ମହିଳା ମଧ୍ୟ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ସକାଶେ ଆସିଥାନ୍ତି । କିନ୍ତୁ ପରିତାପର ବିଷୟ ଉକ୍ତ ରୋଗୀଙ୍କ ପାଇଁ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଓ ଚିକିତ୍ସକଙ୍କ ଲାଗି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମାତ୍ର ଗୋଟିଏ ଶୌଚାଳୟ ରହିଛି । ଯଦ୍ୱାରା ବହୁ ସମୟରେ ମହିଳା ରୋଗୀମାନଙ୍କୁ ବେଳେ ବେଳେ ବେଶ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଡ଼ାକ୍ତରଖାନା ପରିସରରେ ଶୌଚାଳୟ କିମ୍ବା ସାଧାରଣ ବ୍ୟବହାର ଜନିତ ଆବଶ୍ୟକୀୟ ପାଇଖାନା ନଥିବାରୁ ରୋଗୀ ମାନେ ଏପଟେ ସେପଟେ ଆବଶ୍ୟକତା ପୂରଣ କରୁଥିବାରୁ ଅପ୍ରିତୀକର ପରିବେଷ ସହିତ ଅସ୍ୱାସ୍ଥ୍ୟକର ପରିବେଷ ସୃଷ୍ଟି ହେବା ସ୍ୱଭାବିକ । ରୋଗୀ ମାନେ ଚିକିତ୍ସା ପାଇଁ ଲମ୍ବା ଲାଇନରେ ଠିଆ ହୋଇ ଥକି ପଡ଼ୁଥିବା ବେଳେ ଡ଼ାକ୍ତରଖାନା ପରିସରରେ ସାଧାରଣ ବ୍ୟବହାର ପାଇଁ ସ୍ୱଛ ପିଇବା ପାଣି, ଶୌଚାଳୟ ତଥା ପାଇଖାନା ନରହିବାରୁ ଚିକିତ୍ସା କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ଅସୁବିଧା ଦ୍ୱିଗୁଣିତ ହେଉଥିବା ସାଧାରଣ ରୋଗୀ ମାନେ କହିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଥାପିତ ହୋଇଥିବା ବିଶୁଦ୍ଧ ଶୀତଳ ପାନୀୟ ଜଳ ଯନ୍ତ୍ରଟି ଗତ କିଛି ଦିନ ଧରି ଅଚଳ ହୋଇ ପଡ଼ିଥିବାରୁ ରୋଗୀ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଥିବା ଦେଖିବାକୁ ମିଳୁଛି । ଏପରେ ଡ଼ାକ୍ତରଖାନା ପରିସରରେ ମର୍ଗହାଉସ ନଥିବାରୁ ଦୂର୍ଘଟଣାରେ ମୃତକଙ୍କ ଶବକୁ ହଇଜା ଆକ୍ରାନ୍ତଙ୍କ ପ୍ରକୋଷ୍ଠରେ ରଖାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ହଇଜା ଆକ୍ରାନ୍ତ ରୋଗୀ ମାନେ ଉକ୍ତ ପ୍ରକୋଷ୍ଠରେ ରହି ଚିକିତ୍ସା ନହୋଇ ବ୍ରହ୍ମପୁର କିମ୍ବା ନିକଟସ୍ଥ ଅଂଚଳର କୌଣସି ବେସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେବାକୁ ଉଚିତ ମଣୁଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସାରୁ, କଂଚୁରୁ, ମକରଝୋଳ ପ୍ରଭୃତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଅବସ୍ଥା କହିଲେ ନ ସରେ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଆବଶ୍ୟକୀୟ ଡ଼ାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ ବହୁ ସମୟରେ ଡ଼ାକ୍ତରଖାନା ବନ୍ଦ ରହୁଥିବାର ଦେଖିବାକୁ ମିଳୁଛି । ରାଜ୍ୟ ମୁଖିଆଙ୍କ ଗଡ଼ ଭାବେ ପରିଚିତ ହିଂଜିଳିକାଟୁ ବ୍ଳକର ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏଭଳି ହୋଇଥିବା ବେଳେ ସାରା ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସହଜେ ଅନୁମେୟ । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଏ ନେଇ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ରଙ୍କ ପଚାରିବାରୁ ସେ କହିଲେ ସେ ନୂତନ ଭାବେ ସ୍ଥାନୀୟ ସ୍ୱାସ୍ତ୍ର୍ୟକେନ୍ଦ୍ରରେ ଜଏନ କରିବା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ରୋଗୀ କଲ୍ୟାଣ ସମିତି ବୈଠକରେ ଉକ୍ତ ସମସ୍ୟାର ସମାଧାନ ଦିଗରେ ଦାବୀ ଉପସ୍ଥାପନା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


