ହିଂସା ପ୍ରଭାବିତ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଓ୍ବାନ୍ ଷ୍ଟପ୍ ସେଣ୍ଟର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ହିଂସା ଦ୍ବାରା ପ୍ରଭାବିତ ମହିଳା ମାନଙ୍କ ସକାଶେ ସମନ୍ବୀତ ପ୍ରକ୍ରିୟାରେ ସେମାନଙ୍କ ସୁରକ୍ଷା ଦିଗରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ୍ବାନ୍ ଷ୍ଟପ୍ ସେଣ୍ଟରର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରୀ ବୈଠକ ଜୁମ୍ ଆଭାସୀ ଦ୍ବାରା ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରୀ କମିଟିରେ ଗଞ୍ଜାମ ଜିଲ୍ଲାପାଳ ମହିଳା ମାନଙ୍କ ସୁରକ୍ଷା ଓ ହିଂସାତ୍ମକ କାର୍ଯ୍ୟରୁ ନିବୃତ୍ତ ସକାଶେ ପଞ୍ଚାୟତ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସକାଶେ ମତ ଦେଇଥିଲେ । ହିଂସା ଦ୍ବାରା ପ୍ରଭାବିତ ମହିଳା ମାନଙ୍କ ମୋକଦ୍ଦମା ଗୁଡିକ ଯଥାଶୀଘ୍ର ସମାଧାନ ହୋଇ ପାରିଲେ ପାରିବାରିକ ଶୃଙ୍ଖଳା ଫେରି ଆସିବ, ମହିଳା ମାନେ ମାନସିକ ଚାପରୁ ମୁକ୍ତ ହୋଇ ପାରିବେ ଏବଂ ସମାଜରେ ଶାନ୍ତି ଫେରି ଆସିବ । ଏଥି ସକାଶେ ମୋକଦ୍ଦମା ଗୁଡିକ ଦୀର୍ଘଦିନ ଯେପରି ପଡିବ ନାହିଁ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଖୋଲିଥିବା ଓ୍ବାନ୍ ଷ୍ଟପ୍ ସେଣ୍ଟରକୁ ଡାକ୍ତର ଗଣ ବରାବର ଓ ନିୟମିତ ବ୍ୟବଧାନରେ ପରିଦର୍ଶନ କରି ମାନସିକ ଚାପଗ୍ରସ୍ତ ମହିଳାଙ୍କ କାଉନସେଲିଂ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଛି । ଏହି କାର୍ଯ୍ୟରେ ନିୟୋଜିତ ଫ୍ରଣ୍ଟଲାଇନ୍ ଓ୍ବାର୍କର ମାନଙ୍କର ପ୍ରଶିକ୍ଷଣ ରେ ଓ୍ବାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା ଯୋଗଦେଇ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ ହୋଇଥିଲା । ସଚେତନତା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ଗୁରୁତ୍ବ ଦିଆଯାଇଥିଲା । ପଞ୍ଚାୟତ ସ୍ତରରୁ ସଚେତନତା କାର୍ଯ୍ୟ ନିମନ୍ତେ ପ୍ରତି ପୋଲିସ୍ ଷ୍ଟେସନ୍ ଏବଂ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ପ୍ରଚାର ପେଣ୍ଟି ବା ପୋଷ୍ଟର ଲଗାଇବା, ପଥପ୍ରାନ୍ତ ନାଟକ, ସଚେତନତା ବୈଠକ ଇତ୍ୟାଦି ସମସ୍ତ ଲୋକ ପ୍ରତିନିଧି ସହଭାଗିତାରେ କରିବାକୁ ବୈଠକରେ ଆଲୋଚନା ହୋଇଛି । ଗଞ୍ଜାମନ ଜିଲ୍ଲାର ୨୨ ଗୋଟି ବ୍ଲକ୍, ୧୮ ଗୋଟି ବାଜ୍ଞାପିତ ଅଞ୍ଚଳ ଓ ପୌରସଂସ୍ଥା ରହିଥିବା ହେତୁ ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ଅଧିକ ଷ୍ଟାଫ୍ ଆବଶ୍ୟକତା ରହିଛି ବୋଲି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ମତବ୍ୟକ୍ତ କରିଥିଲେ । ୨୦୧୮ ମସିହାରେ ୧୩ ଗୋଟି ମୋକଦ୍ଦମା ପଞ୍ଜିକରଣ ହୋଇଥିବା ବେଳେ ୨୦୧୯ ରେ ୧୩୪ , ୨୦୨୦ ରେ ୧୬ ଏବଂ ଚଳିତ ବର୍ଷ ଜାନୁୟାରୀ ଠାରୁ ଏ ପର୍ଯ୍ୟନ୍ତ ୭୭୮ ଗୋଟି ମୋକଦ୍ଦମା ପଞ୍ଜିକରଣ ହୋଇ ୩୨୭ଗୋଟି ମୋକଦ୍ଦମାର ଫୈସଲା ହୋଇ ସାରିଥିବା ବୈଠକରେ ଜଣାପଡିଛି । ଏମ୍.କେ.ସି.ଜି. ପରିସରରେ ହୋଇଥିବା ଓ୍ବାନଷ୍ଟପ୍ ସେଣ୍ଟର କୋଠାର ପୁନରୁଦ୍ଧାର ସକାଶେ ଆଲୋଚନା ହୋଇଛି । ହିଂସା ପ୍ରଭାବରୁ କାଉନସେଲିଂ ଦ୍ବାରା ମୁକ୍ତ ହୋଇ ସମ୍ପ୍ରତି ସୁଖମୟ ଜୀବନ ଅତିବାହିତ କରୁଥିବା କେତେଜଣ ମହିଳା ବୈଠକରେ ଅବଗତ କରାଇଥିଲେ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ଆଇ.ଏସ୍.ଆର୍.ଡି.ର ମୁଖ୍ୟ ସୁଧୀର କୁମାର ସାବତ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ପୋଲିସ୍ ବିଭାଗ ପକ୍ଷରୁ ସୁଦୀପ୍ ନାୟକ ସହକାରୀ ଆଇନ୍ ପରାମର୍ଶଦାତା ସ୍ନେହମୟୀ ପାଢୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଓ୍ବାନ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରସାଶିକା ମହାଶ୍ବେତା ପାଢୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ