ହିଜବୁଲ୍ ଟପ୍ କମାଣ୍ଡର୍ ସମେତ ତିନି ଆତଙ୍କୀ ମୃତ

ନୂଆଦିଲ୍ଲୀ: ସୋମବାର ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟବେଳେ ଦୁଇ ପାକିସ୍ତାନୀ ଆତଙ୍କୀ ସଂଗଠନର ୩ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି। ଏଥିରେ ଲସ୍କର୍-ଏ-ତୋଇବାର ଡିଷ୍ଟ୍ରିକ୍ଟ କମାଣ୍ଡର୍ ସହ ଦୁଇ ଜଣ ଓ ହିଜବୁଲ୍ ମୁଜାହିଦ୍ଦିନର ଜଣେ ଟପ୍ କମାଣ୍ଡର୍ ରହିଥିବା ଜମ୍ମୁ-କଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ ଦିଲବାଗ୍ ସିଂହ କହିଛନ୍ତି। ଏଥିସହ ଡୋଡା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଆତଙ୍କୀମୁକ୍ତ ହୋଇଛି ବୋଲି ସେ କହିଛନ୍ତି। ମହାନିର୍ଦ୍ଦେଶକଙ୍କ କହିବାନୁସାରେ, ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ସ ଓ ଅନନ୍ତନାଗ ପୋଲିସର ମିଳିତ ଆକ୍ରମଣରେ ଏହି ଆତଙ୍କୀମାନେ ନିପାତ ହୋଇଛନ୍ତି। ହିଜବୁଲ୍ କମାଣ୍ଡର୍ ମାସୁଦ୍ ଡୋଡାରେ ନିଜର ଆତଙ୍କୀ କାର୍ଯ୍ୟକଳାପ ଚଳାଇଆସୁଥିବା ବେଳେ ଜମ୍ମୁ ଜୋନର ଏହି ଜିଲ୍ଲାରେ ହିଜବୁଲ୍ ସଂଗଠନର ମୂଳପୋଛ ହୋଇଯାଇଛି। ଡୋଡା ଜିଲ୍ଲାରେ ମାସୁଦ୍ ଏକମାତ୍ର ଆତଙ୍କୀ ଭାବେ ତା’ର କାର୍ଯ୍ୟକଳାପ ଚଳାଇଥିଲା ବୋଲି ସିଂହ କହିଛନ୍ତି। ମାସୁଦ ନାମରେ ଡୋଡା ପୋଲିସ୍ ଷ୍ଟେସନରେ ଏକ ଦୁଷ୍କର୍ମ ଅଭିଯୋଗ ରହିଥିଲା ଓ ଏହି ମାମଲାରେ ସେ ସେବେଠାରୁ ଫେରାର୍ ଥିଲା। ପରେ ସେ ହିଜବୁଲ୍ ମୁଜାହିଦ୍ଦିନରେ ସାମିଲ୍ ହୋଇ କଶ୍ମୀରରେ ସଂଗଠନ ପରିଚାଳନା ଦାୟିତ୍ବ ପାଇଥିଲା। ସେହିପରି ନିପାତ ହୋଇଥିବା ଅନ୍ୟ ଦୁଇଟି ଆତଙ୍କୀ ହେଲେ ଅନନ୍ତନାଗର ଲାଲ ଚୌକ ଅଞ୍ଚଳର ତାରିକ୍ ଖାନ୍ ଓ କୁଲଗାମର ନଦୀମ। ତେବେ ଏନେଇ ସିଂହ କୌଣସି ସୂଚନା ଦେଇନାହାନ୍ତି। ଏହି ୩ ଜଣଙ୍କୁ ମିଶାଇ ଚଳିତ ବର୍ଷ ଅଦ୍ୟାବଧି ଜମ୍ମୁ-କଶ୍ମୀରରେ ବିଭିନ୍ନ ସଂଗଠନର ୭ ଜଣ ଅପରେସନାଲ୍ କମାଣ୍ଡରଙ୍କ ସମେତ ୧୧୬ ଜଣ ଆତଙ୍କୀ ନିପାତ ହୋଇସାରିଛନ୍ତି। ଚଳିତ ମାସରେ ଏହା ତ୍ରୟୋଦଶ ଏନକାଉଣ୍ଟର୍ ଓ ଜୁନରେ ଆଜି ପର୍ଯ୍ୟନ୍ତ ୪୦ ଜଣ ଆତଙ୍କୀ ପ୍ରାଣ ହରାଇସାରିଛନ୍ତି। ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ହିଜବୁଲ୍ ଉପରେ ଭାରତୀୟ ସୁରକ୍ଷାକର୍ମୀଙ୍କ ମୁଖ୍ୟ ଟାର୍ଗେଟ୍ ରହିଆସିଛି। ଚଳିତ ବର୍ଷ ହିଜବୁଲର ସବୁଠାରୁ ପୁରୁଣା ଅପରେସନାଲ୍ କମାଣ୍ଡର୍ ରିଆଜ୍ ନାଇକୁ ମଧ୍ୟ ନିପାତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ