ହୃଦ୍ଘାତରେ ହାସ୍ୟ ଅଭିନେତା ବିବେକଙ୍କ ପରଲୋକ
ଚେନ୍ନାଇ, (ୱାଇଏନ୍ଏସ୍): ଚେନ୍ନାଇର ଏକ ହସ୍ପିଟାଲରେ ହୃଦ୍ଘାତରେ ହାସ୍ୟ ଅଭିନେତା ବିବେକ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର ସିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଇସିଏମ୍ଓ ରଖାଯାଇଥିଲା। ପରେ ତାଙ୍କର ଏଞ୍ଜିପ୍ଲାଷ୍ଟି କରାଯାଇଥିଲା। ତେବେ ଅଭିନେତା ବିବେକ ଅସୁସ୍ଥ ହେବାର ଗୋଟିଏ ଦିନ ପୂର୍ବରୁ ହିଁ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସିନେ ଜଗତରେ ଶୋକର ଛୟା ଖେଳିଯାଇଛି। ପ୍ରସିଦ୍ଧ ମ୍ୟୁଜିସିଆନ୍ ତଥା ସଙ୍ଗୀତକାର ଏଆର୍ ରେହମାନ ଟୁଇଟ୍ କରି ବିବେକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବିବେକ ଆମ ଗହଣରେ ଆଉ ନାହାନ୍ତି ବୋଲି ବିଶ୍ୱାସ କରି ହେଉନି, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ”।ସୂଚନା ଯୋଗ୍ୟ ଯେ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ହେଉଛନ୍ତି ବିବେକ। ତାଙ୍କୁ ବିଶେଷ କରି ଫିଲ୍ମରେ କେମଡି ଚରିତ୍ରରେ ଦେଖିବାକୁ ମିଳେ।


