ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ଗାନ୍ଧୀ କଥା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : : ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ଏକ ବିଶ୍ୱବିଜୟୀ ବି·ର । ଗାନ୍ଧୀଙ୍କ ଅବର୍ତ୍ତମାନରେ ସେ ଆହୁରି
ଶକ୍ତିଶାଳୀ ଓ ପ୍ରାସଙ୍ଗିକ ହୋଇପଡ଼ିଛନ୍ତି ବୋଲି ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଙ୍ଗ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ଼ ନ୍ୟୁଟ୍ରିସନ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଗାନ୍ଧୀଙ୍କ ୧୫୦ତମ ପୂର୍ତ୍ତି ପାଳନ ଉପଲକ୍ଷେ ଅନୁଷ୍ଠାନର ସଭାକକ୍ଷରେ ଏକ ଗାନ୍ଧୀ କଥା କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ଗ୍ରନ୍ଥାଗାରିକ ଅବିନାଶ ଦାସ ସ୍ୱାଗତ ଭାଷଣ ଦେଇ କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରାହୁଲ ସେହେଗଲ, ରବୀନ୍ଦ୍ର କୁମାର ରାମ, ରିଷିତା ବାନାର୍ଜୀ, ଗିରିୟସୀ ସିହ୍ନା ଏବଂ ରିଷିକାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ଗାନ୍ଧୀ କଥା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ଓ ସ୍ତମ୍ଭକାର ଅମିୟ ପାଣ୍ଡବ ସାମ୍ପ୍ରତିକ ସମୟରେ ଗାନ୍ଧୀ ବି·ରର ଆବଶ୍ୟକତା ଓ ସର୍ବକାଳୀନ ଉପାଦେୟତା ସମ୍ପର୍କରେ ବାଖ୍ୟା କରିବା ସହ ଗାନ୍ଧୀଙ୍କ ସଂଘର୍ଷମୟ ଜୀବନ ଦର୍ଶନର ବହୁବିଧ ବିଶ୍ଲେଷଣ କରିଥିଲେ । ଭିନ୍ନମତକୁ ସମ୍ମାନ ସହ ସହନଶୀଳତା ଏବଂ ଧର୍ମନିରପେକ୍ଷତା ଆମ ଦେଶର ଆତ୍ମା ବୋଲି କହିବା ସହ ଏହି ନିଷ୍ଠୁର ସତ୍ୟ ପାଇଁ ଗାନ୍ଧିଜୀଙ୍କୁ ପ୍ରାଣବଳି ଦେବାକୁ ପଡ଼ିଥିଲା ବୋଲି କହିଥିଲେ । ଅହିଂସା ଓ ଅସହଯୋଗ ପରି ଅମୋଘ ଅସ୍ତ୍ର ତଥା ସର୍ବୋଦୟ ଓ ସତ୍ୟାଗ୍ରହ ତାଙ୍କର ଶକ୍ତି ଥିଲା ଯାହା ଆଜି ମଧ୍ୟ ପ୍ରାସଙ୍ଗିକ ବୋଲି କହିବା ସହ ଗାନ୍ଧୀଙ୍କୁ ଗୁଳି କର ବା ଗାଳି କର, ଗାନ୍ଧିଜୀ ଚିରକାଳ ଅମର ବୋଲି ସେ ବିଭିନ୍ନ ଉଦାହରଣ ସହ ବର୍ଣ୍ଣନା କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଗାନ୍ଧୀ ସ୍ମାରକୀ ନିଧିର ଓଡ଼ିଶା ମୁଖ୍ୟ ତଥା ବିଶିଷ୍ଟ ଯୁବ ସଂଗଠକ ଡ. ବିଶ୍ୱଜିତ ଗାନ୍ଧୀଙ୍କ ତ୍ୟାଗପୂତ ଜୀବନର ବହୁ ଅନାଲୋଚିତ ଦିଗଗୁଡ଼ିକର ଅବଲୋକନ କରିବା ସହ ଛାତ୍ରଛାତ୍ରୀମାନେ ଗାନ୍ଧୀଙ୍କ ବିଷୟରେ କହିବା ଓ ଜାଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।