ହୋଲି ଉତ୍ସବ ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫଗୁ ଦଶମୀ ଠାରୁ ଦୋଳ ପର୍ବ ଆରମ୍ଭ ହୋଇଥିବା ବେଳେ ସ୍ଥଳ ବିଶେଷରେ ଏହା ପାଞ୍ଚଦିନ ଧରି ପାଳନ ହୋଇଛି। ବିଶେଷ କରି ଗୋପାଳ ସମ୍ପ୍ରଦାୟ ପକ୍ଷରୁ ବ୍ଲକର ଜଳମଣ୍ଡୁଆ, ସରଦପୁର, କୁରିଗାଁ, ମଣିନାଥପୁର, ଏକବୋଲା, ରାଜେନ୍ଦ୍ରପୁର, ଗୁଣୁପୁର, ବିଷ୍ଣୁପୁର, ଆଦମପୁର ପ୍ରମୁଖ ସ୍ଥାନ ମାନଙ୍କରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ମୟ ମୁର୍ତ୍ତି ପୂଜା ପାଇଥିଲା। ଏହାଛଡା ଅନୁଷ୍ଠିତ ପଟୁଆର ଶୋଭାଯାତ୍ରାରେ ଶହ ଶହ ଜନସାଧାରଣ ପରସ୍ପର ସହିତ ରଙ୍ଗ ବୋଳିବା ସହିତ ଉତ୍ସବକୁ ବେଶ ଧୁମଧାମରେ ପାଳନ କରିଥିଲେ। ପରମ୍ପରା ଅନୁଯାୟୀ ଠାକୁର ପଟୁଆରରେ ଗାଁକୁ ଗାଁ ବୁଲି ପ୍ରସାଦ ଗ୍ରହଣ କରିଥିବା ବେଳେ ଆବାଳ ବୃଦ୍ଧ ବନିତା ଭଗବାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଉକ୍ତ ଗ୍ରାମ ଗୁଡିକୁ ଛାଡିଦେଲେ ସମସ୍ତ ଗ୍ରାମରେ ୭ତାରିଖ ଓ ୮ତାରିଖ ଦୁଇ ଦିନ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାଛଡା ବ୍ଲକର ମାଳଦା ଅଞ୍ଚଳରେ ଦୋଳ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ମାଳଦା ସମେତ ଚତୁର୍ଭୁଜପୁର, କଲ୍ୟାଣପୁର, ରହଣିଆ, ଜଳହରି ପ୍ରମୁଖ ସ୍ଥାନରେ ହୋଲି ଉତ୍ସବ ସହିତ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।


