୯୧ ବର୍ଷରେ ପଦାର୍ପଣ କଲା ଗୋପିନାଥପୁର ଗୋବିନ୍ଦ ଜୀଉ ମେଳନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁରସ୍ଥିତ ଗୋବିନ୍ଦ ଜୀଉ ମେଳନ ୯୧ ବର୍ଷରେ ପଦାର୍ପଣ କରିଛି । ଗତ ୧୯୩୨ ମସିହା ଠାରୁ ଗ୍ରାମର ମୁଖ୍ୟ ଲୋକ ମାନଙ୍କ ଉଦ୍ୟମରେ ଏହି ମେଳନ ଶାନ୍ତିଶୃଂଖଳା ସହିତ ପାଳନ ହୋଇଆସୁଛି । ମେଳନର ମୁଖ୍ୟ ଆକର୍ଷଣ ହେଉଛି ବାଲେଶ୍ୱର ଜିଲା ଖଇରା ବ୍ଲକ ବେଲଗଢିଆ ଗ୍ରାମରୁ ମେଳଣକୁ ପ୍ରତିବର୍ଷ ଆସୁଥିବା ଗୋବିନ୍ଦ ଜୀଉ । ଗୋବିନ୍ଦ ଜୀଉଙ୍କୁ ଦର୍ଶନ କରି ଭୋଗ ଲଗାଇବା ପାଇଁ ବନ୍ତ, ଭଦ୍ରକ ବ୍ଲକ ସମେତ ବାଲେଶ୍ୱର ଜିଲା ଖଇରା ଓ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରୁ ବହୁ ଲୋକ ମେଳନ ଦେଖିବାକୁ ଆସିଥାନ୍ତି । ଏହି ମେଳନରେ ବିଭିନ୍ନ କିସମର ସାମଗ୍ରୀ ଦୋକାନ ବସିଥାଏ । ଏହି ମେଳନରୁ ଆଖପାଖ ଗ୍ରାମର ଶତାଧିକ ଲୋକ ହଳଦୀ, ପାଛିଆ, ଚଟେଇ, ଛାଞ୍ଚୁଣୀ, ଲୁହା ସାମଗ୍ରୀ ବର୍ଷକ ପାଇଁ କ୍ରୟ କରିଥାନ୍ତି । ଆଖପାଖ ଗ୍ରାମର ଶତାଧିକ ବିବାହିତ ଝିଅ ମେଳନ ଉପଭୋଗ କରିବା ପାଇଁ ବାପ ଘରକୁ ଆସିଥାନ୍ତି । ଏହି ମେଳନ ଅବସରରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରତିବର୍ଷ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଆସୁୂଛି । ଚଳିତ ବର୍ଷ ଗୋବିନ୍ଦ ଜୀଉଙ୍କ ସହ ଶତାଧିକ ମେଢ ବିମାନ ଅର୍ଦ୍ଧ ରାତ୍ରିରୁ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ, ରୋଷଣୀ, ରଂଗୀନ ଆଲୋକ ସହିତ ଶହସ୍ର ଆବାଳ ବୃଦ୍ଧବନିତାଙ୍କ ଗହଣରେ ଶୋଭାଯାତ୍ରାରେ ତୁଳସୀପୁର, ଗୋପିନାଥପୁର, ତାଜିପୁର ପରିକ୍ରମା କରି ସକାଳୁ ବିମାନଙ୍କ ପାଇଁ ଉର୍ଦ୍ଦିିଷ୍ଟ ଚାରରେ ବସିଥିଲେ । ପରେ ହଜାର ହଜାର ସଂଖ୍ୟକ ଲୋକ ଗୋବିନ୍ଦ ଜୀଉ ଓ ରାଧାକୃଷ୍ଣ ମେଳନକୁ ଦର୍ଶନ କରିଥିଲେ । ଏହି ସର୍ବପୁରାତନ ମେଳଣକୁ ଶାନ୍ତିଶୃଂଖଳାର ସହିତ ସମାପନ ପାଇଁ ପ୍ରଶାସନ ତରଫରୁ ସରପଞ୍ଚଙ୍କ ନେତୃତ୍ୱରେ ଏକ ଶାନ୍ତି କମିଟି ଏସ.ପି.ଡି.ଓ ବିଜୟ କୃଷ୍ଣ ମହାପାତ୍ର, ତହସିଲଦାର ଅଙ୍କିତା ବାରିକ, ଆର୍‌.ଆଇ.ସି ମୋନାଲିସା କରଙ୍କ ଉପସ୍ଥିତିରେ ଗଠନ ହୋଇଥିଲା । ଆଇ.ଆଇ.ସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ସଦଳବଳେ ଆଇ.ଆଇ.ସି ମୋନାଲିସା କର ଏବଂ ମାଜିଷ୍ଟେଟ ଭାବେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଗୋପିନାଥପୁର ଗୋବିନ୍ଦ ଜୀଉ ମେଳନ କମିଟିର କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀ ମାନେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ