ଡ଼ଙ୍ଗାରେ ସଚେତନତା ବାର୍ତ୍ତା
ବିହନ ପେଣ୍ଡୁରେ ସାଧବ ପୁଅର ନୌବାଣିଜ୍ୟ ଗାଥା
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : କାର୍ତ୍ତିକ ପୂର୍ଣ୍ଣମୀ ଓଡ଼ିଶା ପରମ୍ପରାରେ ଡ଼ଙ୍ଗା ଭସାଇବା ଓ ବୋଇତ ବନ୍ଦାଣର ଦିନ । ଅତୀତର ସାଧବ ପୁଅର ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଦେଶର ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପସ୍ଥ କଲୋନୀ ଫେଜ୍-୨ରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ କୁମାର ସାହୁ ଉତ୍କଳୀୟ ନୌବାଣିଜ୍ୟର ସ୍ମୃତିକୁ ବିହନ ପେଣ୍ଡୁ ଅର୍ଥାତ୍ (ସିଡ୍ସ ବଲ୍)ରେ ଉଜ୍ଜୀବିତ କରିବା ପାଇଁ ପ୍ରୟାସ କରିଛନ୍ତି ।ପରିବେଶ ଉପଯୋଗୀ ବିହନ ପେଣ୍ଡୁରେ ବୋଇତ ତିଆରି କରିବା ସହ ବୋଇତକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ରଙ୍ଗ ବେରଙ୍ଗ ମୁରୁଜରେ ସ୍ପର୍ଶ ଦେଇ ତିଆରି କରିଛନ୍ତି ସବୁଜ ଡ଼ଙ୍ଗା । ଡ଼ଙ୍ଗାଟି ବୃକ୍ଷ ଓ ଫୁଲରେ ସୁସଜ୍ଜିତ । ମାଟି, ମଞ୍ଜି ଓ ଖତରେ ପ୍ରସ୍ତୁତ ଏହି ବିହନ ପିଣ୍ଡୁଳା ଗୁଡ଼ିକୁ ଡ଼ଙ୍ଗା ଓ ପ୍ରଜ୍ଜ୍ୱଳିତ ଦୀପ ଆକାରରେ ସଜ୍ଜିତ କରାଇ ଜନସାଧାରଣଙ୍କୁ ସଚେତନତା ଉଦ୍ଦେଶ୍ୟରେ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ଉତ୍କଳର ଏହି ଗର୍ବ ଓ ଗୌରବର ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ଶ୍ରୀ ସାହୁ କହିଛନ୍ତି । ସୁଶାନ୍ତଙ୍କ ଏହି ନିଆରା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।