ୟୁଏସ୍ରେ ଡିଜିଟାଲ୍ ନେଣଦେଣକୁ ବିରୋଧ କ୍ୟାସ୍ ନନେଲେ ୧.୫ ଲକ୍ଷ ଜରିମାନା

ନ୍ୟୁୟର୍କ, (ଏଜେନ୍ସି): ବିଶ୍ୱସ୍ତରରେ କ୍ୟାସ୍ ନେଣଦେଣ ହ୍ରାସ୍ କରି ଓ ଡିଜିଟାଲ୍ ନେଣଦେଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରକ୍ରିୟା ତୀବ୍ର ହେଉଛି । ହେଲେ ଏହାର ଠିକ୍ ବିପରିତ ସ୍ଥିତି ଫିଲାଡେଲ୍ଫିଆରେ ଦେଖିବାକୁ ମିଳିଛି । ଫିଲାଡେଲ୍ଫିଆ ଆମେରିକାର ପ୍ରଥମ ଏପରି ସହର, ଯେଉଁଠାରେ ନଗଦ ନେବାକୁ ମନା କଲେ ଦୋକାନୀଙ୍କ ଉପରେ ଜରିମାନା ଲାଗୁ ହେବାର ବ୍ୟବସ୍ଥା ରହିଛି । ଫିଲାଡେଲ୍ଫିଆରେ ଏପରି ଆଇନ୍ ବ୍ୟବସ୍ଥା କରାଯାଇଛି, ଯାହା ଅଧିନରେ ନଗଦ ନେବାକୁ ମନା କରିବା ସ୍ଥଳେ ଏପରି ଦୋକାନୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଆଇନ୍ରେ ଏପରି ଦୋକାନକୁ ବନ୍ଦ କରାଯିବା ପର୍ଯ୍ୟନ୍ତର ମଧ୍ୟ ନୟମ ରହିଛି । ସହରର ମେୟର୍ ଜିମ୍ କେନୀ ଗତ ସପ୍ତାହରେ କ୍ୟାସ୍ଲେସ୍ ବିଜ୍ନେସ୍ ବିଲ୍ ଉପରେ ଦସ୍ତଖତ କରିଛନ୍ତି । ନୂଆ ବିଲ୍ ଅନୁସାରେ ବ୍ୟବସାୟୀଙ୍କୁ ଡିଜିଟାଲ୍ ଟ୍ରାଞ୍ଜାକସ୍ନ ସହିତ କ୍ୟାସ୍ ମଧ୍ୟ ବାଧ୍ୟତାମୂଳକ ଭାବେ ନେବାକୁ ହେବ । ଜୁଲାଇ ୧ଠାରୁ ଏଠାରେ ଏହି ଆଇନ୍ ଲାଗୁ ହେବ । ଯେଉଁ ବ୍ୟବସାୟୀ ନଗଦ ନେବାକୁ ମନା କରିବେ ସେମାନଙ୍କ ଉପରେ ୨୦୦୦ ଡଲାର ତଥା ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ଜରିମାନା ଲଗାଯିବାର ସମ୍ଭାବନା ରହିଛି । ପ୍ରକାଶ ଯେ ଆମେରିକାର ଷଷ୍ଠତମ ସବୁଠାରୁ ବଡ଼ ସହର ଫିଲାଡେଲ୍ଫିଆରେ ଅଧିକତର ଦୋକାନୀ ନଗଦ ନେଣଦେଣକୁ ମନା କରୁଥିଲେ । କେତେକ ଦୋକାନୀ ଷ୍ଟୋର ବାହାରେ ବୋର୍ଡ଼ ମଧ୍ୟ ଲଗାଇ ଦେଇଥିଲେ ଯେ ସେମାନେ ନଗଦ ନେବେ ନାହିଁ । ଦୋକାନୀଙ୍କ ଅନୁସାରେ ନଗଦ ନେଣଦେଣ ଦ୍ୱାରା ଚୋରିର ବିପଦ ରହିଥାଏ । ଏଥିସହ ଭ୍ରଷ୍ଟାଚାରକୁ ମଧ୍ୟ ପ୍ରୋତ୍ସାହନ ମିଳିଥାଏ । ଯେତେବେଳେ ନ୍ୟୁୟର୍କ, ୱାଶିଂଟନ ଓ ନ୍ୟୁଜର୍ସୀରେ ନଗଦ ନେବାକୁ ମନା କରାଯାଉଥିବା ତଥ୍ୟ ସମ୍ମୁଖକୁ ଆସିଲା, ସେଠାରେ ମଧ୍ୟ ପ୍ରଶାସନ କ୍ୟାସ୍-ଫ୍ରୀ ବିକଳ୍ପ ଉପରେ କଟକଣା ଜାରି କରିବା ପାଇଁ ଏହି ପ୍ରକାରର ଆଇନ୍ ପ୍ରଣୟନ କରିବାକୁ ପ୍ରସ୍ତୁତି କରିଛି । ସୂଚନାକାରୀଙ୍କ ଅନୁସାରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ନିକଟରେ ୭୪ଦେଶରେ ଡିଜିଟାଲ ନେଣଦେଣକୁ ନେଇ ଏକ ସର୍ଭେ କରାଇଥିଲେ । ଏଥିରେ କନାଡ଼୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଆମେରିକାର ସ୍ଥାନ ପଞ୍ଚମରେ ରହିଛି । ସେହିପରି ସ୍ୱିଡ଼େନ୍ ଦ୍ୱିତୀୟରେ, ବ୍ରିଟେନ୍ ତୃତୀୟରେ ଓ ଫ୍ରାନ୍ସ ଚତୁର୍ଥ ସ୍ଥାନରେ ରହିଛି । ଏହି ମାମଲାରେ ଭାରତର ସ୍ଥାନ ୨୮ତମ ରହିଛି । ଭାତ ବିଶ୍ୱର ପଞ୍ଚମ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ