ୟୁନିକ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଫାଇନାଲରେ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଷ୍ଟାଡିୟମଠାରେ ଆୟୋଜିତ ୫ମ ୟୁନିକ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୟୁନିୟନ ସ୍ପୋର୍ଟିଂ, କଟକ ଏବଂ ପ୍ରଗତି ସ୍ପୋର୍ଟିଂ, ଭୁବନେଶ୍ୱର ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଗତି ସ୍ପୋର୍ଟିଂ, ଭୁବନେଶ୍ୱର ୧୭ ରନ୍ ବ୍ୟବଧାନରେ ୟୁନିୟନ ସ୍ପୋର୍ଟିଂ, କଟକ କୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଗତି ସ୍ପୋର୍ଟିଂ, ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ୩୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁମନ ଦାସ ସର୍ବାଧିକ ୨୭ ବଲରୁ ୨୬ ରନ୍ ସଂଗ୍ରହ କରିଥିଲେ । ୟୁନିୟନ ସ୍ପୋର୍ଟିଂ, କଟକ ତରଫରୁ ପଙ୍କଜ ସେନାପତି ସର୍ବାଧିକ ୪ଟି ଉଇକେଟ ଦଖଲ କରିଥିଲେ । ଏହାର ଜବାବରେ ୟୁନିୟନ ସ୍ପୋର୍ଟିଂ, କଟକ ୨୬.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୬ ରନ୍ କରିଥିଲା । ଦଳ ପକ୍ଷରୁ ପଙ୍କଜ ସେନାପତି ୩୬ ବଲରେ ୨୯ ରନ୍ ସଂଗ୍ରହ କରିଥିଲେ । ପ୍ରଗତି ସ୍ପୋର୍ଟିଂ, ଭୁବନେଶ୍ୱରର ସାର୍ଥକ ସୌରଭ କୁମାର ୪ଟି ଓ ସାଇ ସୁବ୍ରତ ଜେନା ୨ଟି ଉଇକେଟ ଦଖଲ କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ୟୁସିଏ ର ବରିଷ୍ଠ ଖେଳାଳୀ ଦୀପକ କୁମାର ସେଠୀ,ଚିନ୍ମୟାନନ୍ଦ ସାହୁ ଓ ମନ୍ମଥ ପେରେଇ ପ୍ରମୁଖ ପ୍ରଗତି ସ୍ପୋର୍ଟିଂ, ଭୁବନେଶ୍ୱର ର ସାର୍ଥକ ସୌରଭ କୁମାରଙ୍କୁ ପ୍ରଦାନ କରିଥିଲେ । ସ୍କୋରର ଦାୟିତ୍ୱରେ କିରଣ ମନୋହର ମହାନ୍ତି ଏବଂ ଭାଷ୍ୟକାର ଦାୟିତ୍ୱ ବୁବୁ ସିହ୍ନା ଦାୟିତ୍ୱ ତୁଲାଇଥିଲେ । ଓସିଏ ଅମ୍ପାୟାର ଆଶୁତୋଷ ପାଣି ଓ ଦୁର୍ଗା ପଟ୍ଟନାୟକ ମ୍ୟାଚ୍ ପରିଚାଳନା କରିଥିଲେ । ମ୍ୟାଚ୍ର ସିଧା ପ୍ରସାରଣ ୟୁଟୁ୍ୟବ୍ ଚ୍ୟାନେଲ ୧୦୦ ନଟ୍ ଆଉଟ୍ ରେ ପ୍ରସାରିତ ହୋଇଥିଲା । ୟୁନିକ୍ କ୍ରିକେଟ ଏକାଡେମୀ ତରଫରୁ ସୁରଜିତ ଲାଲ ଦେଓ ଏବଂ ବ୍ରହ୍ମାନନ୍ଦ ରାଉତ ମୁଖ୍ୟ ପରିଚାଳନା ଦାୟିତ୍ୱ ବହନ କରିଥିଲେ । ନଭେମ୍ବର ୨୦ ତାରିଖ ବୁଧବାର ଦିନ କେନ୍ଦୁଝରର ବରିଷ୍ଠ କ୍ରିକେଟ୍ ଖେଳାଳୀମାନଙ୍କର ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ ।