ୟୁପିରେ ଅମାନିଆଙ୍କ ହାତରେ ଷ୍ଟାମ୍ପ
ବାରଣାସୀ: କରୋନା ମୁକାବିଲା ନିମନ୍ତେ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକେ ଏହି ନିୟମକୁ ନ ମାନି ଘରୁ ବାହାରୁଥିବା ଦେଖିବାକୁ ମିଳିଛି । ଏଭଳି ଅମାନିଆଙ୍କୁ ଉଚିତ ଶିକ୍ଷା ଦେବା ଲାଗି କେଉଁଠାରେ ପୁଲିସ ଲାଠି ପ୍ରୟୋଗ କରୁଛି ତ କେଉଁଠାରେ ଜରିମାନା ଆଦାୟ କରୁଛି । ଉତ୍ତରପ୍ରଦେଶର କେତେକ ସ୍ଥାନରେ ଅମାନିଆଙ୍କୁ ରାସ୍ତାକୁ ଆଣିବା ପାଇଁ ପୁଲିସ ଏକ ଅଜବ ଉପାୟ ଆପଣାଇଛି । ଯେଉଁମାନେ ବିନା କାରଣରେ ଘରୁ ବାହାରୁଛନ୍ତି ସେମାନଙ୍କର ହାତରେ ଏକ ଷ୍ଟାମ୍ପ ମରାଯାଉଛି । ଯେଉଁଥିରେ ଲେଖା ଯାଉଛି ‘ମୁଁ ସମାଜର ଶତ୍ରୁ’ । ଷ୍ଟାମ୍ପର ମଝିରେ ଲକଡାଉନ ମଧ୍ୟ ଲେଖାଯାଇଛି । ଏହି ଷ୍ଟାମ୍ପ ଲଗାଇବା ସହ ପୁଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି । ବାରଣାସୀର ପ୍ରତ୍ୟେକ ସ୍ଥାନରେ ଅମାନିଆଙ୍କୁ ଏଭଳି ଉପାୟରେ ତାଗିଦ କରାଯାଉଛି । ଏ ନେଇ ଜନୈକ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଆଇନ ଉଲ୍ଲଂଘନକାରୀଙ୍କୁ ନିଜ କାର୍ଯ୍ୟ ପାଇଁ ଉଜ୍ଜିତ ଅନୁଭବ କରାଇବା । ଅନେକ ଲୋକ ପୁଲିସ ହାବୁଡ଼ରେ ଧରା ପଡ଼ିଥିବା କଥା ଘରେ ଲୁଚାଉଛନ୍ତି । ପୂର୍ବରୁ ଅନେକ ସ୍ଥାନରେ ଅମାନିଆଙ୍କୁ ବସ ଉଠ କରାଇବା, ସେମାନଙ୍କୁ ଘରେ ପୂରାଇ ତାଲା ପକାଇବା, ସେମାନଙ୍କ ଗାଡ଼ି ଜବତ କରାଇବା ଭଳି ଦଣ୍ଡ ମିଳୁଥିବା ଦେଖାଯାଇଥିଲା ।


