ୟୁପିରେ ମୋଦିଙ୍କ ନିର୍ବାଚନ ପ୍ରଚାର ବିରୋଧୀଙ୍କ ଗୋଟିଏ ମନ୍ତ୍ର ‘ଜନତା କା ମାଲ୍ ଅପ୍ନା’
ଲକ୍ଷେ୍ନø(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର କନ୍ନୌଜ ଠାରେ ଆୟୋଜିତ ବିଶାଳ ରାଲିରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଏହି ଅବସରରେ ମୋଦି, ମାୟାବତୀ-ଅଖିଳେଶଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ଗଠନ ହୋଇଥିବା ମହାମେଣ୍ଟ ଏବଂ ବିଶେଷକରି କଂଗ୍ରେସକୁ ଟାର୍ଗେଟ୍ କରି ପ୍ରବଳ ବର୍ଷିଛନ୍ତି । କନ୍ନୌଜ ଆସନକୁ ମୁଖ୍ୟତଃ ସମାଜବାଦୀ ପାର୍ଟିର ଗଡ ବୋଲି କୁହାଯାଇଥାଏ । ତେବେ ମୋଦିଙ୍କ ସମାବେଶରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ ଯେ, କଂଗ୍ରେସ ଏବଂ ମାୟାବତୀ-ଅଖିଳେଶଙ୍କ ମହାମେଣ୍ଟର ଗୋଟିଏ ମନ୍ତ୍ର, ‘ଜାତ୍ ପାତ୍ ଜପ୍ନା, ଜନ୍ତା କା ମାଲ ଅପ୍ନା’ ରହିଛି । ଏମାନେ କଦାପି ଦେଶର କିମ୍ବା ରାଜ୍ୟର ମଙ୍ଗଳ କଥା ଚିନ୍ତା କରିନାହାନ୍ତି । କେବଳ ନିଜ ସ୍ୱାର୍ଥ ପାଇଁ କାମ କରିଛନ୍ତି ।ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, ଆମ ଦେଶରେ ଏପରି ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଳୁରୁ ସୁନା ତିଆରି କରିପାରିବେ । ସେ କାମ ଆମେ କରିପାରିବୁନି । ଯାହାକୁ ଆଳୁରୁ ସୁନା ବାହାର କରିବାର ଅଛି ତାଙ୍କ ପାଖକୁ ଯାଆନ୍ତୁ । ଆମେ •ଷୀଙ୍କ ପାଇଁ ଶୀତଳ ଭଣ୍ଡାର ତିଆରି କରିପାରିବୁ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦିଗରେ ଯୋଜନା କରିପାରିବୁ, ସର୍ବୋପରି ଚାଷୀଙ୍କ ଆୟ ଦୁଇ ଗୁଣିତ କରିବାକୁ ଚେଷ୍ଟା କରିପାରିବୁ । ଏଦିଗରେ ଆମେ ଶତପ୍ରତିଶ୍ରତ ଚେଷ୍ଟା ଜାରି ରଖିଛୁ । ମୋଦି କହିଛନ୍ତି ଯେ, ଆମ ଦେଶର ବୀର ସହିଦ୍ମାନେ ତ୍ରିରଙ୍ଗାକୁ ନେଇ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, ସ୍ୱରାଜ ପାଇଁ ସଂଗ୍ରାମ କରିଥିଲେ । ଏବେ ଆମକୁ ସୁରାଜ ପାଇଁ ଲଢେଇ କରିବାକୁ ପଡୁଛି । ସେତେବେଳେ ଆମେ ସଂକଟକୁ ମୁକୁଳିବା ପାଇଁ ପ୍ରୟାସ କରୁଥୁଲୁ । କିନ୍ତୁ ଏବେ ବିକାଶର ଶୀର୍ଷକୁ ଛୁଇଁବାକୁ ପ୍ରୟାସ କରୁଛୁ । ଦିନକପୂର୍ବେ ମୋଦି ମୁମ୍ବାଇରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, କଂଗ୍ରେସ ଯେତେ ଚେଷ୍ଟା କଲେ ମଧ୍ୟ ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ୫ଠରୁ ଅଧିକ ଆସନ ଜିତିପାରିବ ନାହିଁ । ଏହି ଅବସରରେ ତାଙ୍କ ସହ ବିଜେପି ସହଯୋଗୀ ଦଳ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମଧ୍ୟ ଉପସ୍ଥିତ ରହିଥିଲେ । ଉଦ୍ଧବ ମଧ୍ୟ ଏହି ଅବସରରେ ବିରୋଧୀ କଂଗ୍ରେସ ଉପରେ ବର୍ଷିବା ଦେଖିବାକୁ ମିଳିଥିଲା ।


