ପୁଲିସ୍ ଗାଡ଼ିରେ ଖାଦ୍ୟ ପୁଡ଼ିଆ, ତଦନ୍ତ ନିର୍ଦ୍ଦେଶ କାଶ୍ମୀରରେ ହେବାକୁ ଥିବା ବିଜେପି ରାଲିକୁ ଯାଉଥିଲା
ଶ୍ରୀନଗର(ଏଜେନ୍ସି): ଶନିବାର ଜାମ୍ମୁକାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଥିବା ଏକ ନିର୍ବାଚନ ରାଲିକୁ ପୁୂଲିସ୍ ଗାଡିରେ ଖାଦ୍ୟ ପୁଡିଆ ଯାଉଥିବା ବେଳେ ଧରାପଡିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶେଷକରି ବିଜେପି ପକ୍ଷରୁ ଆୟୋଜିତ ଏହି ରାଲିକୁ ପୁଲିସ୍ ନିଜେ ଖାଦ୍ୟ ସାମଗ୍ରୀ ନେଇ ଯିବା ଜଣାପଡିବା ପରେ ଦେଶବ୍ୟାପୀ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ପ୍ରକାଶ ଯେ, ବିଜେପି ନେତା ରାମ ମାଧବଙ୍କ ପାଇଁ ଏହି ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଉପସ୍ଥିତ ଜନସାଧାରଣଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଇ ଆପ୍ୟାୟିତ କରିବାକୁ ବିଜେପି ଚିନ୍ତା କରିଥିଲା । ସୁତରାଂ ବରାଦ ମୁତାବକ ଖାଦ୍ୟ ପୁଡିଆକୁ ଦୁଇଟି ପୁଲିସ୍ ଗାଡିରେ ବୋଝେଇ କରି କାର୍ଯ୍ୟକ୍ରମ ସ୍ଥଳକୁ ନିଆଯାଉଥିଲା । ତେବେ ଏସମ୍ପର୍କରେ ସୂଚନା ମିଳିବା ପରେ ରାଜ୍ୟ ନିର୍ବାଚନ କର୍ମକର୍ତ୍ତା ଉକ୍ତ ଗାଡିକୁ ଜବତ କରିଥିଲେ । ଅନ୍ୟପକ୍ଷେ ଭିଆଇପି ବ୍ୟକ୍ତିବିଶେଷଙ୍କୁ ନେବା ଆଣିବା କରିବା ପାଇଁ ଉଦ୍ଦିଷ୍ଟ ସରକାରୀ (ପୁଲିସ) ଗାଡିକୁ ଅପବ୍ୟବହାର କରାଯାଇଥିବା ନେଇ ବିରୋଧୀ ଦଳ ଦାବି ଜୋରଦାରି କରିବା ପରେ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।


