୧୦ମାସ ପରେ ପାଟନାରୁ ଉଦ୍ଧାର ହେଲେ ମାନସିକ ଭିନ୍ନକ୍ଷମ ଝିଅ

କେନ୍ଦ୍ରାପଡା – ୧୦ମାସ ପୂର୍ବେ ଘରୁ କେଉଁ ଆଡେ ପଳାଇଯାଇଥିବା ଜନୈକ ମାନସିକ ଭିନ୍ନକ୍ଷମ ଝିଅ ବିହାର ରାଜ୍ୟର ପାଟନାରୁ ଉଦ୍ଧାର ହୋଇ ଗୁରୁବାର ଘରେ ପହଁଚିଥିବା ଜଣାପଡିଛି । ଏହାସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇ ତାଙ୍କୁ ପ୍ରଦାନ କରାଯାଇଥିବା ମଧ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜଣାପଡିଛି । ଟାଉନ ଥାନା ଅନ୍ତର୍ଗତ ବଡ ବାରଙ୍ଗ ଗ୍ରାମର କମଳ ଲୋଚନ ନାୟକ ଓ ଗୋଲାପି ନାୟକଙ୍କ ମାନସିକ ଭିନ୍ନକ୍ଷମ ଝିଅ ସଞ୍ଜନା ନାୟକ (୩୩) ଗତ ୨୦୧୮ ମସିହା ନଭେମ୍ବରମାସରେ ହଠାତ ଘରୁ କେଉଁ ଆଡେ ପଳାଇଯାଇଥିଲେ । ଏ ସମ୍ପର୍କରେ ସଞ୍ଜନାଙ୍କ ବାପା କମଳଲୋଚନ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ବି ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । କିନ୍ତୁ ବିହାର ପୋଲିସ ଗତ ଡିସେମ୍ବରମାସରେ ସଞ୍ଜନାକୁ ପାଟନା ରେଳଷ୍ଟେସନରୁ ଉଦ୍ଧାରକରି ପାଟନାସ୍ଥିତ ମାନସିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେତେବେଳେ ସେ କଥାବାର୍ତ୍ତା କରିପାରୁନଥିଲା । ପ୍ରାୟ ଦୁଇମାସ ପରେ ସଞ୍ଜନା କଥାବାର୍ତ୍ତା କରିବା ପରେ ତା ନିକଟରୁ ବିହାର ପୋଲିସ ଘର ଠିକଣା ପାଇ କେନ୍ଦ୍ରାପଡା ଏସପିଙ୍କୁ ସଞ୍ଜନା ସମ୍ପର୍କରେ ଜଣାଇଥିଲା । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ବଡବାରଙ୍ଗସ୍ଥିତ ସଞ୍ଜନାଙ୍କ ଘରେ ପହଁଚି ତା’ର ବାପାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । କିନ୍ତୁ ସଞ୍ଜନାର ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ଭିନ୍ନକ୍ଷମ ଝିଅକୁ ପାଟନାରୁ ଆଣିବା ନିମନ୍ତେ ଆବଶ୍ୟକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିବାକୁ ଏସଡିପିଓଙ୍କ ପରାମର୍ଶ କ୍ରମେ କମଳଲୋଚନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଝିଅକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ସଞ୍ଜନାର ପିତାମାତା ଓ ସମାଜସେବୀ ଅଭିମନ୍ୟୁ ରାଉତ ପାଟନାରେ ପହଁଚି ସଞ୍ଜନାକୁ ସେଠାରୁ ଉଦ୍ଧାର କରି ଆଜି ଏଠାରେ ଆସି ପହଁଚିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସଞ୍ଜନାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇ ଥିବା ବେଳେ ଆଜି ସଞ୍ଜନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ବର୍ମା ଭତ୍ତା ଅର୍ଥ ପ୍ରଦାନ କରିଥିବା ବେଳେ ସମାଜସେବୀ ଅଭିମନ୍ୟୁ ରାଉତଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପ୍ରୟାସ ଯୋଗୁଁ ମାନସିକ ଭିନ୍ନକ୍ଷମ ଝିଅ ସଞ୍ଜନା ବିହାର ରାଜ୍ୟର ପାଟନାରୁ ଉଦ୍ଧାର ହୋଇ ଘରକୁ ଫେରିଥିବାରୁ ଏବଂ ସମାଜସେବୀ ଅଭିମନ୍ୟୁଙ୍କ ସହ ଯୋଗ ପାଇଁ ତାଙ୍କର ପିତାମାତା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ