୧୦ରୁ କମ୍ ଉପସ୍ଥାନ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ପରିସରଭୁକ୍ତ ଅଂଚଳର ୧୦ ରୁ କମ୍ ଉପସ୍ଥାନ ଥିବା ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକ ପରିସରଭୁକ୍ତ ଅଂଚଳରେ ଥିବା ୫୬ (ବ୍ଳକରେ ୪୯ ଓ ପୌରାଂଚଳରେ ୭)ଟି ପ୍ରାଥମିକ, ୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ((ବ୍ଳକରେ ୨୪ ଓ ପୌରାଂଚଳରେ ୨)) ଓ ୨୭(ବ୍ଳକରେ ୨୪ ଓ ପୌରାଂଚଳରେ ୩) ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ କେଉଁ ବିଦ୍ୟାଳୟରେ କେତେ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଛନ୍ତି ତାହାର ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ୧୦ ରୁ କମ୍ ଉପସ୍ଥାନ ଥିବା ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ଲାଗି ପ୍ରସ୍ତାବ ପ୍ରେରଣ କରାଯାଇଛି । ସଭିଏଁ ପଢିବେ ସଭିଏଁ ବଢିବେ ଏହି ସ୍ଳୋଗାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ତଥାପି ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକ ପରିସରଭୁକ୍ତ କେତେକ୍ ଅଂଚଳରେ ସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ବିନା ଏନଓସିରେ ପରିଚାଳନା ଚାଲିଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହିଂଜିଳିକାଟୁ ବ୍ଳକ ପରିସରଭୁକ୍ତ ଅଂଚଳରେ ଥିବା ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର ଲାଗି ପ୍ରସ୍ତୁତି ଆରମ୍ଭ ହେବା ପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୧୦ ରୁ କମ୍ ଉପସ୍ଥାନ ଥିବା ହିଂଜିଳିକାଟୁ ବ୍ଳକ କଂଚୁରୁ ପଂଚାୟତ ଶ୍ରଦ୍ଧାପୁର ଅଧିନସ୍ଥ କଇଠଖଣ୍ଡି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ଲାଗି ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ସଂପୃକ୍ତ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାର ଜଣାପଡ଼ିଛି । କଇଠଖଣ୍ଡି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ନିକଟସ୍ଥ ଶ୍ରଦ୍ଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯିବ ବୋଲି ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ କହିଛନ୍ତି । ବିଗତ କିଛି ବର୍ଷ ହେଲା ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଖୋଲିଚାଲିଥିବା ଯୋଗୁଁ ବହୁ ଅଭିଭାବକ ସେମାନଙ୍କ ଶିଶୁଙ୍କ ନାମ ସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ଘରୋଇ ଶିକ୍ଷାନୁଷ୍ଠାନରେ ଲେଖାଇବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତି ପ୍ରକାରେ ୧୦ କିମ୍ବା ତା’ଠାରୁ କମ୍ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରି ଦିଆଯିବ ।