୧୦ରୁ ମାତ୍ର ଦୁଇ ଡାକ୍ତରଙ୍କୁ ନିଯୁକ୍ତି ମିଳିଲା, ଟୁକୁଣା, ମୁଗୁପୁର ଓ ଶାଳଣିଆଁରେ କେବେ ?

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅନେକ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ପଡିଥିବାବେଳେ ଏନେଇ ବାରମ୍ବାର ଜିଲ୍ଲା ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇ ଡାକ୍ତର ନିଯୁକ୍ତି କରିବାନେଇ ଦାବି ହୋଇ ଆସୁଛି । ହାଟଡିହି ବ୍ଲକରେ ମୋଟ ୧୦ଟି ଡାକ୍ତର ପଦବି ଖାଲି ପଡିଥିବାବେଳେ ଜିଲ୍ଲାରେ ୪୫ଜଣ ଡାକ୍ତର ନିଯୁକ୍ତି ବେଳେ ତନ୍ମଧ୍ୟରୁ ମାତ୍ର ଦୁଇଜଣ ଡାକ୍ତରଙ୍କୁ ହାଟଡିହିରେ ନିଯୁକ୍ତି ଦିଆଯାଇଛି । ଫଳରେ ମୁଗୁପୁର, ଟୁକୁଣା ଭଳି ଡାକ୍ତରଖାନାରେ ଡାକ୍ତର ନଥିବାବେଳେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଟି ପଦବି ଖାଲି ପଡିଛି । ହାଟଡିହି ଡାକ୍ତରଖାନାରେ ଦୀର୍ଘବର୍ଷ ପରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଓରାଳି ଡାକ୍ତରଖାନାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ମୁଗୁପୁର ଡାକ୍ତରଖାନାଟି ଉପରେ ପଞ୍ଚୁଗୋଛିଆ ପଞ୍ଚାୟତ ସମେତ ବଞ୍ଚୋ, ସୁଲଣ ଆଦି ପଞ୍ଚାୟତର ୧୫ହଜାରରୁ ଉର୍ଦ୍ଧ ଲୋକମାନେ ନିର୍ଭର କରିଥାନ୍ତି । ଏହା ଏକ ବନ୍ୟାପ୍ଳାବିତ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଲୋକମାନେ ତଣ୍ଡା, ଜ୍ୱର, ଝାଡା ଭଳି ଯୋଗରେ ପିଡିତ ହୋଇଥାନ୍ତି । ଡାକ୍ତର ନଥିବାରୁ ରୋଗୀମାନେ ଚିକିତ୍ସା ସେବା ପାଇ ନପାରି ଦୁର ଦୁରାନ୍ତ ଡାକ୍ତରକାନାକୁ ଯାଇ ଚିକିତ୍ସିତ ହୋଇଥାନ୍ତି । ସେହିପରି ଟୁକୁଣା ଡାକ୍ତରଖାନା ଉପରେ ବଡରମ୍ପାସ ଆମ୍ବୋ, ସମଣା ଆଦି ପଞ୍ଚାୟତର ୧୫ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ଦୀର୍ଘବର୍ଷ ହେଲା ଡାକ୍ତର ପଦବି ଖାଲି ପଡିଛି । ଗତ କିଛିଦିନ ତଳେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ବି ଡାକ୍ତର ଜଣକ ଉଚ୍ଚ ଶିକ୍ଷା ପାଇଁ ଛୁଟିରେ ପଳାଇବାରୁ ଡାକ୍ତର ବୀହିନ ହୋଇ ପଡିଛି । ଯାହାଦ୍ୱାରା କି ସାଧାରଣ ରୋଗୀଟିଏ ଚିକିତ୍ସା ପାଇଁ ୨୦/୩୦ କିଲୋମିଟର ଦୁରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ସେହିପରି ଶାଳଣିଆଁରେ ୬ଟି ଡାକ୍ତର ପଦବୀ ଖାଲି ପଡିଥିବାରୁ ସେଠାରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରୁନି । ଏଠାରେ ଶିଶୁ ବିଭାଗ, ସର୍ଜରୀ ବିଭାଗ, ମେଡସିନି ବିଭାଗ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗର ଡାକ୍ତର ପଦବି ଖାଲି ପଡିଛି । ଜୁନ ୧୧ତାରିଖରେ ୫-ଟି ସଚିବ ଭି.କେ ପାଣ୍ଡିଆନ ହାଟଡିହି ଗ୍ରସ୍ଥରେ ଆସିଥିବାବେଳେ ଡାକ୍ତର ନିଯୁକ୍ତି ପାଇଁ ଅନେକ ଅଭିଯୋଗ କରାଯାଇଥିବାବେଳେ ମାତ୍ର ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଅନ୍ୟ ପଦବି ଗୁଡିକ କେବେ ପୁରଣ ହେଉଛି ତାହାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ଡାକ୍ତର ନିଯୁକ୍ତି କରିବା ଦିଗରେ ପଦକ୍ଷେପ ନେଉ ବୋଲି ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ