୧୨ ଦଫା ଦାବିରେ ପାଚିକା ଓ ସହାୟିକା ସଂଘର ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ନିଖିଳ ଓଡିଶା ଏମ ଡି ଏମ୍ ପାଚିକା ଓ ସହାୟିକା ସଂଘ ପକ୍ଷରୁ ୧୨ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ଶନିବାର ହିଞ୍ଜିଳିକାଟୁ ବ୍ଲକ୍ ଏମ ଡି ଏମ୍ ପାଚିକା ଓ ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ପୈାରାଞ୍ଚଳ ବଇଞ୍ଚବଣିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ରାଲିରେ ଆସି ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ । ପାଚିକା ଓ ସହାୟିକା ମାନେ ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରି ଆସୁଥିଲେ ମଧ୍ୟ ସେମାନଙ୍କ ସାମାଜିକ ସୁରକ୍ଷା ଓ ସର୍ବନିମ୍ନ ମଜୁରି ରୁ ବଞ୍ଚିତ କରାଯାଉଥିବା, ପାଚିକା ମାନଙ୍କ ଉପରେ ଅତ୍ୟାଚାର କରାଯିବା ସହ ସାମାନ୍ୟ କଥାରେ ବହିଷ୍କାର କରାଯାଉଛି ବୋଲି କ୍ଷୋଭ ପ୍ରକାଶ କରାଯାଇଥିଲା । ସେମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ, ନିର୍ଦ୍ଧିଷ୍ଟ ସମୟରେ ଭତ୍ତା ପ୍ରଦାନ ବ୍ୟବସ୍ଥା, କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ପ୍ରଦାନ, ବାର୍ଷିକ ୧୦ ମାସ ପରିବର୍ତ୍ତେ ୧୨ ମାସର ଭତ୍ତା ପ୍ରଦାନ, ସାମାଜିକ ସୁରକ୍ଷା ସୁରକ୍ଷା ସହ ପରିଚୟ ପତ୍ର ପ୍ରଦାନ, ମିଶ୍ରଣ ବିଦ୍ୟାଳୟ ହେଲେ ନିକଟସ୍ଥ ବିଦ୍ୟାଳୟରେ ନିଯୁକ୍ତି, ବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ବହିଷ୍କୃତ ପାଚିକା ଓ ସହାୟିକା ମାନଙ୍କୁ ପୁନଃ ନିଯୁକ୍ତି, ଡ୍ରେସ୍ କୋର୍ଡ ସହ ୧୫ ଦିନର ଛୁଟି ମଞ୍ଜୁର, ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକରିବା, ସ୍ବାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ ସହ ଉତ୍ତରାଧିକାରୀ ଙ୍କୁ ନିଯୁକ୍ତ ଓ ଗତ ୨୮ ମାସର ୬ ଶହ ଓ ୪ ଶହ ଟଙ୍କା ପ୍ରଦାନ ଭଳି ୧୨ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ଜରିଆରେ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମମତା ପୃଷ୍ଟି, ମାଧୁରୀ ପାଢି, ଶୁକାନ୍ତି ପଣ୍ଡା, ଶୁସମା ବେହେରା, କୁମାରୀ ପଣ୍ଡା, ଜି ପଦ୍ମାବତୀ, ନିବାଶିନି ନାହାକଙ୍କ ସମେତ ସ୍ଥାନୀୟ ବ୍ଳକର ବହୁ ପାଚିକା ଓ ସହାୟିକା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ