୧୫୦ତମ ଗାନ୍ଧୀ ଜନ୍ମବାର୍ଷିକୀ ଅବସରରେଉଦ୍ୟାପିତ ହେଲା ରୋଭର ରେଞ୍ଜର ସିମ୍ପୋଜିୟମ୍
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟାଳୟ ପରିସରରେ ତା୨୯ା୯ା୧୯ରିଖ ଠାରୁ ଆୟୋଜିତ ଆଞ୍ଚଳିକ ସ୍ତରୀୟ ରୋଭର/ରେଞ୍ଜର ସିମ୍ପୋଜିୟମର ଉଦ୍ୟାପନୀ ସମାରୋହ ତା୨ା୧୦ା୨୦୧୯ରିଖ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧିଜୀଙ୍କ ପବିତ୍ର ଜନ୍ମତିଥିରେ ରୋଭର ଓ ରେଞ୍ଜରମାନେ ସକାଳୁ ରାମଧୁନ୍ ଗାଇ ପ୍ରଭାତ ଫେରି କରିଥିଲେ । ପରେ ପରେ ରାଜ୍ୟ ମୁଖ୍ୟାଳୟ ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ୪ ନମ୍ବରସ୍ଥିତ ବିଧାୟକ କଲୋନୀ ପର୍ୟ୍ୟନ୍ତ ଯାଇଥିଲା । ସ୍ୱଚ୍ଛ ଭାରତ, ପ୍ଲାଷ୍ଟିକ୍ ବର୍ଜନ, ନିଶା ନିବାରଣ ଆଦି ଗାନ୍ଧିଜୀଙ୍କ ବିଭିନ୍ନ କାର୍ୟ୍ୟକ୍ରମ ପାଇଁ ଜନସାଧାରଣଙ୍କୁ ସଚେତନ କରିବା ନିମିତ୍ତ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଯାଇଥିଲେ । କଲୋନୀସ୍ଥିତ ପାର୍କ ମଧ୍ୟରେ ଏକ ସର୍ବଧର୍ମ ପ୍ରାର୍ଥନା ଆୟୋଜିତ ହୋଇଥିଲା । ପ୍ରାର୍ଥନା ପରେ ରୋଭର ଓ ରେଞ୍ଜରମାନେ ପାର୍କ ତଥା ପାଖା ପାଖି ଅଞ୍ଚଳରେ ସଫେଇ କାର୍ୟ୍ୟ କରିଥିଲେ । ଭୁବନେଶ୍ୱରର ବହୁ ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍ମାନେ ମଧ୍ୟ ରୋଭର ରେଞ୍ଜରମାନଙ୍କୁ ସହଯୋଗ କରିଥିଲେ । ଅପରାହ୍ନ ୫ ଘଟିକା ସମୟରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ୟାପନୀ ସମାରୋହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଅଶୋକ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଗାନ୍ଧି ୧୫୦ତମ ଜୟନ୍ତୀର କାର୍ୟ୍ୟକ୍ରମ ବିଷୟରେ ସନ୍ତୋଷପ୍ରକଟ କରିବା ସହିତ ରୋଭର ଓ ରେଞ୍ଜରମାନଙ୍କୁ ଗାନ୍ଧି ଆଦର୍ଶ ଏବଂ ଗାନ୍ଧି ଦର୍ଶନକୁ ଆଧାର କରି ଏକ ସୁନ୍ଦର ଏବଂ ସ୍ୱଚ୍ଛ ଭାରତ ଗଠନ କରିବା ଦିଗରେ ସର୍ବଦା କାର୍ୟ୍ୟ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଗାନ୍ଧି ୧୫୦ ଉପରେ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ବହୁମୁଖି କାର୍ୟ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ଅବଗତ କରିଥିଲେ । ରାଜ୍ୟ ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଅତିଥିମାନଙ୍କୁ ସ୍ୱାଗତ କରି ୪ଦିନ ଭିତରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ତଥା କାର୍ୟ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସିମ୍ପୋଜିୟମ୍ର ପରିଚାଳକ ପୂର୍ବାଞ୍ଚଳ ଶାଖାର ସାଂଗଠନିକ କମିଶନର ଶ୍ରୀ ବବଲୁ ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରୋଭର ଓ ରେଞ୍ଜରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।