୧୬ଟି ମିସନ୍ ଶକ୍ତି ଗୃହ ଜୁଆଡି ଓ ମଦୁଆଙ୍କ ଆଡସ୍ଥଳୀ ପାଲଟିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୬ ଗୋଟି ମିଶନ ଶକ୍ତି ଗୃହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ନିର୍ମିତ ହୋଇ ବର୍ତ୍ତମାନ ସୁଦ୍ଧା ଅବ୍ୟବହୃତ ହୋଇ ପଡ଼ିରହିଛି। ଏହାଦ୍ୱାରା ସରକାରଙ୍କ ୮୦ ଲକ୍ଷ ଟଙ୍କା ପାଣିରେ ପଡିଲା. ବର୍ତ୍ତମାନ ଏହି ଗୃହ ଗୁଡିକ ଜୁଆଡ଼ି ଓ ମଦୁଆଙ୍କ ଆଡସ୍ଥଳୀ ପାଲଟିଛି. ଘଟଣାରୁ ପ୍ରକାଶ, ସରକାରଙ୍କ ସହରୀ ଶ୍ରମଭିତ୍ତିକ ରୋଜଗାର ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ନିର୍ମିତ ଏହି ଗୃହ ଗୁଡିକୁ ଦିନକ ପାଇଁ ମଧ୍ୟ ମିସନ୍ ଶକ୍ତି ଗୋଷ୍ଠୀର ମହିଳା ବ୍ୟବହାର କରିନାହାନ୍ତି। ସହରର ୧୬ଟି ୱାର୍ଡ଼ରେ ନିର୍ମିତ ଏହି ୧୬ଟି ଗୃହ ପାଇଁ ଖର୍ଡ ହୋଇଥିବା ସରକାରଙ୍କ ୮୦ ଲକ୍ଷ ଟଙ୍କା ଏବେ ପାଣିରେ ପଡ଼ିଥିବା ବୁଦ୍ଧିଜୀବା କହିଛନ୍ତି। ମିସନ୍ ଶକ୍ତିର ସଦସ୍ୟମାନେ ଏଠାରେ ସେମାନଙ୍କ ବୈଠକ କରିବା ସହ ଆବଶ୍ୟକ ସ୍ଥଳେ ସଂପୃକ୍ତ ୱାର୍ଡର ଯେକୌଣସି ବୈଠକ ଆୟୋଜନ ଲକ୍ଷ୍ୟରେ କରୋନା ମହାମାରୀ ସମୟରେ ସରକାର ଏହି ଗୃହ ଗୁଡ଼ିକୁ ନିର୍ମାଣ କରିଥିଲେ। ହେଲେ ଏହି ସବୁ ଗୃହରେ କୌଣସି ବୈଠକ ହୋଇ ନଥିବା ଜଣାପଡ଼ିଛି। ସହରର କାଁ ଗାଁ ଗୋଟିଏ ଦୁଇଟି ଗୃହକୁ ଛାଡ଼ିଦେଲେ ଚଳଜା ସମସ୍ତ ମିସନ୍ ଶକ୍ତି ଗୃହ ଏବେ ମଦୁଆ ଏବଂ ଜୁଆଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି। ମଦ୍ୟପମାନେ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି!