୧୮ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ : ୧୮ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ ୭ଟି ରାଜ୍ୟର ୧୮ଟି ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁନ୍ ୧୯ ତାରିଖରେ ୭ଟି ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରାଯାଇଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟର ୪ଟି ଲେଖାଏଁ ଆସନ ରହିଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୩ଟି ଲେଖାଏଁ ଆସନ ରହିଥିବା ବେଳେ ଝାରଖଣ୍ଡର ୨ଟି, ମଣିପୁର ଏବଂ ମେଘାଳୟର ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସମାନ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।