୧୮୦ ଲିଟର ଚୋରା ଦେଶୀମଦ ଜବତ, ୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଓ ମୋହନା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅବକାରୀ ଚଢାଉ କରାଯାଇ ବ୍ୟାପକ ପରିମାଣର ଚୋରାଦେଶୀ ମଦ ଜବତ କରିବା ସହ ମହୁଲ ପୋଚ ନଷ୍ଟି କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଅଡବା ଓ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି, ମହୂଲପଦା, ଚାନ୍ଦିପୁଟ, ପି.ଗୋବିନ୍ଦପୁର, ଅଡବା ଆଦି ଗ୍ରାମରେ ଚଢାଉ କରାଯାଇଥିଲା । ଉକ୍ତ ଚଢାଉବେଳେ ଏହି ସବୁ ଗ୍ରାମରୁ ପ୍ରାୟ ୧୮୦ ଲିଟର ଚୋରା ଦେଶୀମଦ ଜବତ କରାଯାଇ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପି.ଗୋବିନ୍ଦପୁର ଗ୍ରାମର ଟୁକୁନା ବେହେରା, ଅଡବା ଗ୍ରାମର ବିକ୍ରମ ନାୟକ, ଚାନ୍ଦିପୁଟ ଗ୍ରାମର ଏ. ଦଳବେହେରା ବୋଲି ଜଣାପଡିଛି । ସେହିପରି ଏହି ସବୁ ଅଞ୍ଚଳର ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇ ୧୩୦୦ ଲିଟ ମହୁଲ ପୋଚକୁ ଜବତ କରି ନଷ୍ଟି କରାଯାଇଥିବାର ମଧ୍ୟ ଜଣାପଡିଛି । ଏହି ଚଢାଉରେ ଆର୍.ଉଦୟଗିରି ଅବକାରୀ ବିଭାଗର ଏସ୍.ଆଇ. ବୃନ୍ଦାବନ ମଣ୍ଡଳ, ଗଜପତି ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗର ଏ.ଏସ୍.ଆଇ. କିଶୋର ଚନ୍ଦ୍ର ରଥ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ବହୁ ସଂଖ୍ୟାରେ ଅବକାରୀ କର୍ମଚାରୀ ଉପସ୍ଥିତଥିଲେ ।