୧୯ରୁ ଦେଶବ୍ୟାପୀ ଜନ ଆଶୀର୍ବାଦ ଯାତ୍ରା: ଓଡିଶା ଗସ୍ତରେ ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମୋଦି ସରକାରରେ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀମାନେ ଆସନ୍ତା ୧୯ ତାରିଖରୁ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡିବେ । ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ଯାଏଁ ଚାଲିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ ମଧ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଜନ ଆଶୀର୍ବାଦ ଯାତ୍ରା ଅବସରରେ ଓଡିଶାକୁ ୨ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂଅଶ୍ୱିନୀ ବୈଷ୍ନବ ଆସନ୍ତା ୧୯ ତାରିଖ ଦିନ ୩ ଦିନିଆ ଗସ୍ତରେ ଆସୁଛନ୍ତି । ୧୯ ତାରିଖ ସକାଳେ ଉଭୟ ମନ୍ତ୍ରୀ ଭୁବନେଶ୍ୱରଠାରେ ପହଂଚିବା ପରେ ସିଧାସଳଖ ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହା ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ୧୯ ତାରିଖ ସଂଧ୍ୟାରେ ରେଳ ଯୋଗେ ରାୟଗଡା ଗସ୍ତ କରିବେ । ୨୦ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ କୋରାପୁଟ ଗସ୍ତ କରି ରାତ୍ରଯାପନ କରିବେ । ୨୧ ତାରିଖରେ ଜୟପୁର, ନବରଙ୍ଗପୁର ଦେଇ ଗସ୍ତ କରି ଭବାନୀପାଟଣାରେ ରାତ୍ରଯାପନ କରିବେ । ୨୨ ତାରିଖ ଦିନ ଶ୍ରୀ ବୈଷ୍ନବ କେସିଙ୍ଗା, ଟିଟିଲାଗଡ, କଂଟାବାଜୀ, ପାଟଣାଗଡ ଦେଇ ବଲାଙ୍ଗୀରଠାରେ ପହଂଚିବେ । ୨୨ ତାରିଖ ସଂଧ୍ୟାରେ ଶ୍ରୀ ବୈଷ୍ନବ ବଲାଙ୍ଗୀରରୁ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଂଚଳରେ ୧୧୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଅସୁସ୍ଥ ଥିବା କାରଣରୁ ତାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକୁ ସୁପରିଚାଳିତ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମରେ ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ ପ୍ରମୁଖ ଅଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ