୧୯.୮୬କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ଦିଆଗଲା ୯୯୩୦ କୋଟି ଟଙ୍କା
ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା ପାଇଁ ଚାଲିଛି ଲକ ଡାଉନର ସମୟ । ଗରିବ ନିରାଶ୍ରୟ ଶ୍ରମଜୀବୀମାନଙ୍କ ଜୀବିକା ନିର୍ବାହ ପାଇଁ ସୁଯୋଗ ନାହିଁ । ମହିଳାମାନଙ୍କ ଉପରେ ପରିବାର ପ୍ରତିପୋଷଣର ମୁଖ୍ୟ ଦାୟିତ୍ଵ ଥିବା ବେଳେ ଏହି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କୁ ଏଥିପାଇଁ ପ୍ରଦାନ କରାଯାଉଛି ୫୦୦ଟଙ୍କାର ଆର୍ଥିକ ସହାୟତା । ଏପ୍ରିଲ ମାସ ପାଇଁ ୫୦୦ଟଙ୍କା ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ସାରା ଦେଶରେ ଏପରି ୧୯.୮୬କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ୯୯୩୦କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡିଶାର ବାଲେଶ୍ଵର, ବ୍ରହ୍ମପୁର ଓ ନବରଙ୍ଗପୁର ଆଦି ଜିଲ୍ଲାର ଅନେକ ମହିଳା ହିତାଧିକାରୀଙ୍କୁ ଏହି ସହାୟତା ରାଶି ମିଳିଛି । ବାଲେଶ୍ଵର ଜିଲ୍ଲାର ଶ୍ରୀକୋଣା ଗ୍ରାମର ଲୁଡି ମୁର୍ମୁ ନିଜ ବ୍ୟାଙ୍କ ଖାତାରେ ୫୦୦ଟଙ୍କା ପାଇସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ଗରିବ ମହିଳା ମୁକ୍ତା ଜାନି ଲକଡାଉନ ସମୟରେ କାମଧନ୍ଦା ବନ୍ଦ ଥିବାବେଳେ ଏହି ସହାୟତା ରାଶି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏବେ ବ୍ୟାଙ୍କରେ ମହିଳାମାନେ ନିଜ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ପାସବୁକରୁ ଟଙ୍କା ଉଠାଉଛନ୍ତି । ଲକ ଡାଉନ ସମୟରେ ବ୍ୟାଙ୍କରେ ଗହଳିକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବ୍ୟାଙ୍କରେ ହାତ ଧୋଇବା ପାଇଁ ବ୍ୟବସ୍ଥା ସହ ସାନିଟାଇଜର ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଛି। ସମସ୍ତେ ମାସ୍କ କିମ୍ବା ଗାମୁଛା ବା ସଫା କପଡା ମୁହଁରେ ଘୋଡାଇ ଆସୁଥିବା ଦେଖିବାକୁ ମିଳିଛି । ସେହିପରି ସାମାଜିକ ଦୂରତ୍ଵ ରକ୍ଷା ଯେପରି ପାଳନ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରାଯାଉଛି। ବ୍ୟାଙ୍କର ସୁରକ୍ଷା କର୍ମଚାରୀ ଓ ପୋଲିସ ଉପସ୍ଥିତ ରହି ସାମାଜିକ ଦୂରତ୍ଵ ପାଳନ ପାଇଁ ଲୋକଙ୍କୁ ବୁଝାଉଛନ୍ତି । ଜିଲ୍ଲାର ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରେ ମହିଳାମାନେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ପାସବୁକରୁ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଛି ।


