୧ ନମ୍ବର ସ୍ଥାନ ହାସଲ କଲା ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ ଜାତୀୟ ସ୍ତରରେ ୧ ନମ୍ୱର ସ୍ଥାନ ହାସଲ କରିଛି । ସେବା ସମ୍ୱନ୍ଧୀୟ ସୂଚନା ପ୍ରଦାନ ଏବଂ ସ୍ୱଚ୍ଛତା ପାଇଁ ସର୍ବଭାରତୀୟ ସ୍ତରରେ ପରିଷଦକୁ ଏହି ସଫଳତା ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦ୍ୟୁଷଣ ବୋର୍ଡର ସଦସ୍ୟ ସଂପାଦକ ଡ଼ଃ କେ ମୁରୁଗେସାନ୍ ଜଣାଇଥିବା ତଥ୍ୟରୁ ଏହା ଜଣାପଡିଛି ।ଏହି ସଫଳତା ପାଇଁ ପରିଷଦର ସମସ୍ତ ଅଧିକାରୀ ଏବଂ କର୍ମକର୍ତାଙ୍କୁ ସାଧୁବାଦ ଜଣାଇବା ସହ ପ୍ରାକୃତିକ ପରିବେଶ ପରିଚାଳନାରେ ସମସ୍ତପକ୍ଷଙ୍କୁ ସାମିଲକରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ବୃଦ୍ଧି ଓ ବିଭିନ୍ନ ପକ୍ଷଙ୍କ ସଂପୃକ୍ତି ମାଧ୍ୟମରେ ପରିବେଶ ନିୟନ୍ତ୍ରଣ ପ୍ରବର୍ତନ ଏବଂ ଏହାର ଅନୁପାଳନ ଅଧିକ ସହଜ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସ୍ୱଚ୍ଛତା ବର୍ଗୀକରଣ ବିଷୟରେ ସୂଚନା ଦେଇ ଡ଼ଃ ମୁରୁଗେସାନ୍ କହିଥିଲେ ଯେ ବିଜ୍ଞାନ ଓ ପରିବେଶ କେନ୍ଦ୍ରଙ୍କ ଦ୍ୱାରା ଏହି ଜାତୀୟ ସ୍ତରର ଅନୁଧ୍ୟାନ କରାଯାଇଥିଲା । ଏଥିରେ ଦେଶରେ କାର୍ଯ୍ୟ କରୁଥିବା ୩୧ ଟି ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ଏବଂ କେନ୍ଦ୍ରଶାସିତ ଅଂଚଳର ପ୍ରଦ୍ୟୁଷଣ ନିୟନ୍ତ୍ରଣ କମିଟିମାନଙ୍କର କାର୍ଯ୍ୟର ଅନୁଶୀଳନ କରାଯଇଥିଲା । ଅନୁଶୀଳନ ମୁଖ୍ୟତଃ ବୋର୍ଡର କାର୍ଯ୍ୟକଳାପ, ଓ ସେବା ପ୍ରଦାନ, ପ୍ରଦ୍ୟୁଷଣ ସ୍ତର, ବର୍ଜୁବସ୍ତୁ ପରିଚାଳନା ବ୍ୟବସ୍ଥା ଆଦି ସମ୍ୱନ୍ଧିତ ତଥ୍ୟର ସାର୍ବଜନନୀକରଣ ଆଧାରିତ ଥିଲା । ସାର୍ବଜନୀନ ୱେବ୍ ପୋର୍ଟାଲରେ ସୂଚନା ଓ ସେବା ପ୍ରଦାନ ମାପିବା ପାଇଁ ୧୮ଟି ବିଭିନ୍ନ ମାନାଙ୍କ ପ୍ରସ୍ତୁତ କରାଯାଇଥିଲା । ଅନୁଶୀଳନ ପାଇଁ ୨୦୧୬ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ତଥ୍ୟକୁ ବିଚାର କରାଯାଇଥିଲା ।ଏହି ଅନୁଶୀଳନରେ ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ ୬୭ ପ୍ରତିଶତ ନମ୍ବର ରଖି ୧ ନମ୍ବର ସ୍ଥାନ ହାସଲ କରିଥିଲେ । ଓଡ଼ିଶା ସହ ସମକକ୍ଷ ହୋଇ ତେଲେଙ୍ଗାନା ରାଜ୍ୟ ପରିଷଦ ମଧ୍ୟ ସମପରିମାଣ ନମ୍ବର ପାଇଥିଲେ । ତାମିଲନାଡୁ ପରିଷଦ ୬୫.୫ ପ୍ରତିଶତ, ମଧ୍ୟପ୍ରଦେଶ ୬୪ ପ୍ରତିଶତ ଏବଂ ପଶ୍ଚିମ ବଙ୍ଗଳା ୬୨ ପ୍ରତିଶତ ନମ୍ବର ସହ କ୍ରମ ତାଲିକାରେ ସ୍ଥାନ ପାଇଥିଲେ ।ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ ପ୍ରଦ୍ୟୁଷଣ ପରିଷଦରେ ପଦ୍ଧତିଗତ ରୂପାନ୍ତର ଏବଂ ପ୍ରଶାସନିକ ସଂସ୍କାର ପ୍ରକ୍ରିୟା ୨୦୧୫ ମସିହାରୁ ବର୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା ।


