୧ ବର୍ଷ ବିତିଲା, ସନ୍ଧ୍ୟାରାଣୀଙ୍କୁ ମିଳୁନି ବିଧବା ଭତ୍ତା
ବନ୍ତ,(ଚାନ୍ଦିନୀ ମହାନ୍ତି): କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ବିଧବା, ସ୍ୱାମୀ ପରିତ୍ୟାକ୍ତା ଓ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଭତ୍ତାର ବ୍ୟବସ୍ଥା କରିଛନ୍ତି । ଏପରିସ୍ଥଳେ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଆଳମଙ୍ଗା ଗ୍ରାମର ସନ୍ଧ୍ୟାରାଣୀ ସେଠୀ(୩୭)ଙ୍କୁ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ବିଧବା ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦୧୯ ଏପ୍ରିଲ ୨୩ ତାରିଖରେ ସନ୍ଧ୍ୟାରାଣୀଙ୍କ ସ୍ୱାମୀ ଧବଳ ସେଠୀଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ୨ ପିଲାଙ୍କୁ ନେଇ ପରିବାର ଚଳାଇବା ସନ୍ଧ୍ୟାଙ୍କ ପାଇଁ ବହୁ କଷ୍ଟକର ହୋଇପଡିଛି । ପୁଅକୁ ଏବେ ୧୪ ବର୍ଷ ହୋଇଥିବା ବେଳେ ଝିଅକୁ ୧୭ ବର୍ଷ ହୋଇଛି । ଆର୍ଥିକ ଅନାଟକ ଯୋଗୁ ଦୁଇ ପିଲାଙ୍କ ମୁହଁରେ ମୁଠାଏ ଖାଦ୍ୟ ଦେବା ସହ ପାଠ ପଢାଇବା ସମ୍ଭବପର ହୋଇପାରୁନାହିଁ । ଜମିବାଡି ବୋଲି ସେମିତି କିଛି ନଥିବା ବେଳେ ସରକାରୀ ଭାବେ କେବଳ ରାସନ ଚାଉଳ ମୁଠାଏ ପାଉଛନ୍ତି । ସେହିଥିରେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଦୀର୍ଘ ୧ ବର୍ଷରୁ ଅଧିକ ହେବ ସେ ବିଧବା ଭତ୍ତା ପାଇବା ପାଇଁ ଆବେଦନ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିନାହିଁ । ଅପରପକ୍ଷେ ଏପର୍ଯ୍ୟନ୍ତ ତାଙ୍କୁ ପକ୍କାଘର ଖଣ୍ଡିଏ ମିଳିନଥିବା ସେ କହିଛନ୍ତି । ଜିଲା ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।