୨ଟି କୋଠରୀରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ ସମେତ ଅଙ୍ଗନୱାର୍ଡି କେନ୍ଦ୍ର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତସ୍ଥିତ ନଳାଙ୍ଗ ଗ୍ରାମରେ ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟ ରହିଛି । ଉପସ୍ଥାନ କମ୍ ଯୋଗୁ ନିକଟରେ ଥିବା ୪ଟି ପ୍ରଥାମିକ ବିଦ୍ୟାଳୟକୁ ଏହି ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ବିଦ୍ୟାଳୟ ଗୁଡିକ ହେଲା ଶାଳିଜଙ୍ଗା ପ୍ରାଥମିକ ବିଦ୍ୟାଳୟ, ପାଟେଣିଗାଁ ପ୍ରାଥମିକ ବିଦ୍ୟାଳୟ ଓ ବୋଦଳ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୬ ଜଣ ଶିକ୍ଷକ ଓଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ସୂଚନାନୁଯାୟୀ ୧ମ ଶ୍ରେଣୀରେ ୫ଜଣ, ୨ୟ ଶ୍ରେଣୀରେ ୮ଜଣ, ୩ୟ ଶ୍ରେଣୀରେ ୮ଜଣ,୪ର୍ଥ ଶ୍ରେଣୀରେ ୯ଜଣ, ୫ମ ଶ୍ରେଣୀରେ ୧୧ଜଣ ସମୁଦାୟ ୪୧ ଜଣ ପିଲା ବିଦ୍ୟାଳୟରେ ପାଠ ପଢୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୫ଟି ଶ୍ରେଣୀରେ ୪୧ ଜଣ ପିଲା ରହିଥିବା ବେଳେ ପାଠ ପଢିବା ପାଇଁ ମାତ୍ର ୨ ଗୋଟି କୋଠରୀ ରହିଛି । ସରକାରଙ୍କ ନିୟମାନୁସାରେ ୫ଟି ଶ୍ରେଣୀକୁ ୫ଟି କୋଠରୀ ଆବଶ୍ୟକ ରହି ଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିବା ପାଇଁ ଏକ କାର୍ଯ୍ୟାଳୟର ଆବଶ୍ୟକତା ମଧ୍ୟ ରହିଛି । କୋଠରୀ ଅଭାବ ରହିଥିବା ବେଳେ ୨ ଗୋଟି ଗୃହ ମଧ୍ୟରୁ ଗୋଟିଏ ଗୃହରେ ଅଙ୍ଗନୱାର୍ଡି କେନ୍ଦ୍ର ଚାଲୁଥିବା ଜଣାଯାଇଛି । ଆବଶ୍ୟକ ବିଦ୍ୟାଳୟ ଗୃହ ନଥିବାରୁ ଗୋଟିଏ ଗୃହରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବସୁଥିବା ବେଳେ ସେହି ଗୃହର ଗୋଟିଏ ପାଶ୍ୱର୍ରେ ଅଫିସ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଗୋଟିଏ ଘରେ ୫ଟି ଶ୍ରେଣୀର ପାଠପଢା ଯାଉଥିବା ବେଳେ ପିଲାମାନେ କେଉଁ ପାଠ ପଢୁଥିବେ ତାହା ସ୍ପଷ୍ଟ ଅନୁମାନ କରାଯାଉଛି । ବିଦ୍ୟାଳୟ ମାଧ୍ୟମରେ ପିଲାର ମାନସିକ, ବୌଦ୍ଧିକ ବିକାଶ ଘଟୁଥିବା ବେଳେ ପିଲାମାନଙ୍କୁ ସଠିକ ଭାବେ ପରିଚାଳନା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି । ଉକ୍ତ ବିଦ୍ୟାଳୟରେ ଗୋଟିଏ କୋଠରୀରେ ସମସ୍ତ କ୍ଳାସ ଚାଲୁଥିବା ବେଳେ ଏଠାରେ ଶୈକ୍ଷିକ ବାତାବରଣ କିପରି ଥିବ ତାହା ସହଜେ ଅନୁମେୟ । ପୂର୍ବରୁ ପ୍ରଚଳିତ ସର୍ବଶିକ୍ଷା ଯୋଜନା ମାଧ୍ୟମରେ ଉପସ୍ଥାନ କମ ଥିବା ବିଦ୍ୟାଳୟ ଗୁଡିକରେ ବଡ ବଡ କୋଠାଘର ନିର୍ମାଣ କରାଯାଇଥିବା ବେଳେ ବିଦ୍ୟାଳୟ ବନ୍ଦ ଯୋଗୁ ଉକ୍ତ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । କିନ୍ତୁ ଉକ୍ତ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ରହିଥିବା ବେଳେ ଆବଶ୍ୟକ କୋଠରୀ ନଥିବା ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଉପହାସ କଲା ପରି ମନେ ହେଉଛି । ସରକାରୀ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଯୋଗୁ ଅନେକ ଅବିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପଢାଇବାକୁ ବାଧ୍ୟ ହେଉଛନ୍ତି । ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ