ସୁସ୍ଥ ଓ ଅବାଧ ନିର୍ବାଚନ ସକାଶେ ସମ୍ପୂର୍ଣ୍ଣ ନିର୍ଭୂଲ ଭୋଟର ତାଲିକାର ଆବଶ୍ୟକତା ରହିଛି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସୁସ୍ଥ ଓ ନିର୍ଭୁଲ ନିର୍ବାଚନ ସକାଶେ ସମ୍ପୂର୍ଣ୍ଣନିର୍ଭୁଲ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏଣୁ ଭୋଟର ତାଲିକା ସଂଶୋଧନ ଦିଗରେ ଗୁରୁତ୍ବ ଦେବା ପାଇଁ କୁହାଯାଇଛି । ଚଳିତ ମାସ ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନିର୍ଭୁଲ ତଥ୍ୟ ଥିବା ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଗ୍ରାମ ପଞ୍ଚାୟତ ଅଧିକାରୀ ମାନଙ୍କୁ କୁହାଯାଇଛି ।ଯେଉଁ ମାନେ ସ୍ଥାନାନ୍ତରୀତ ହୋଇଥିବେ କିମ୍ବା ମୃତ୍ୟୁବରଣ କରିଥିବେ ସେମାନଙ୍କ ନାମ ବାଦ୍ କରିବା ବେଳେ ସତର୍କ ଏବଂ ସଠିକ ସୂଚନା ଥାଇ ବାଦ୍ କରିବା ପାଇଁ କୁହାଯାଇଅଛି । ସୋମବାର ଭିଡିଓ କନଫରେନ୍ସିଂ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜଣାଇଥିଲେଯେ ୨୦୧୧ ମସିହା ଜନ ଗଣନା ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରାଯାଉଅଛି । ଭୋଟଗ୍ରହଣ କେନ୍ଦ୍ର ଗୁଡିକ ବର୍ତ୍ତମାନ ଠାରୁ ଚିହ୍ନଟ କରି ସେଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ପ୍ରାୟତଃ୨୦୧୭ ନିର୍ବାଚନରେ ବ୍ୟବହୃତ ହୋଇଥିବା ଭୋଟ୍ ଗ୍ରହଣ କେନ୍ଦ୍ର ଅନୁଯାୟୀ ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ ହେବ । ଭୋଟ ଗଣତି କେନ୍ଦ୍ର ଗୁଡିକ ମଧ୍ୟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଭୋଟ୍ ଗଣତି କେନ୍ଦ୍ର ସ୍ଥଳରେ ହିଁ ଯେପରି ଷ୍ଟ୍ରଙ୍ଗ ରୁମ୍ ର ବ୍ୟବସ୍ଥା ହେବ ସେହିଭଳି ସୁବିଧା ଥିବା ସ୍ଥାନକୁ ଚିହ୍ନଟ କରିବାପାଇଁ ଗୁରୁତ୍ବ ଦିଆଯାଇଛି । ସମସ୍ତ ବ୍ୟବସ୍ଥା ଉପଲବ୍ଧ ହେବା ଭଳି ସ୍ଥାନ ଗୁଡିକରେ ଭୋଟ୍ ଗଣତି କେନ୍ଦ୍ର ହେବ । ବୈଠକରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


