୨ଠଠ୮ ମୁମ୍ବାଇ ଆକ୍ରମଣ ପରେ ସେନାବାହିନୀକୁ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଅନୁମତି ଦିଆଗଲାନି କାହିଁକି: ମୋଦି ମାସୁଦ୍ ଆଝାରକୁ ପାକିସ୍ତାନ କିଏ ପଠାଇଥିଲା: ରାହୁଲ
ନୂଆଦିଲ୍ଲୀ(ଏଜେନ୍ସି): ୧୯୯୪, ଫେବ୍ରୁଆରୀରେ ଗିରଫ ହୋଇଥିବା ମାସୁଦ୍ ଆଝାରକୁ ମୁକ୍ତି ଦେବା ପ୍ରସଙ୍ଗରେ ବିଜେପି-କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମାସୁଦ୍ର ମୁକ୍ତି ପାଇଁ ତକ୍ରାଳୀନ ବିଜେପି ସରକାରକୁ ଆଜି ସିଧାସଳଖ ଦାୟୀ କରିଛନ୍ତି । ରାହୁଲ ଆଜି ମୋଦିଙ୍କୁ ଟାର୍ଗେଟ୍ ପୂର୍ବକ ପ୍ରଶ୍ନ କରିଛନ୍ତି । “ଆତଙ୍କବାଦୀ ମାସୁଦ୍ ଆଝାରକୁ ଭାରତୀୟ ଜେଲ୍ରୁ ପାକିସ୍ତାନକୁ ପଠାଇଲା କିଏ?’ ମୋଦି ପ୍ରଥମେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି । ଆତଙ୍କବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହୁଥିବା ମୋଦି, ମାସୁଦ୍ ଆଝାରକୁ ଛାଡିବା ବେଳେ ସେତେବେଳର ବିଜେପି ସରକାର କ’ଣ ସାହସିକତା ଦର୍ଶାଇଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । କର୍ଣ୍ଣାଟକର ହାବେରିଠାରେ ଆୟୋଜିତ ଏକ ରାଲିରେ କଂଗ୍ରେସ ଅଧ୍ୟକ୍ଷ ଏପରି କହିଛନ୍ତି । ରାହୁଲ କହିଛନ୍ତି, ଏଏନ୍ଆଇ ରିପୋର୍ଟ ଅନୁସାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍ ଆଝାର । ତେବେ ମାସୁଦ୍କୁ ପୂର୍ବରୁ ଗିରଫ କରାଯାଇସାରିଥିବା ବେଳେ ତା’କୁ କିଏ ଓ କାହିଁକି ଛାଡିଥିଲା?
ଅନ୍ୟପକ୍ଷେ ଗତ ୨୬ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ହୋଇଥିବା ଏୟାର୍ଷ୍ଟ୍ରାଇକ୍କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ବିଫଳ ଉଦ୍ୟମର ନାମ ଦେଇଥିବା ମୋଦି ଅଭିଯୋଗ କରିଛନ୍ତି । ମୋଦି କହିଛନ୍ତି, ୨ଠଠ୮ ମୁମ୍ବାଇ ଆକ୍ରମଣ ପରେ ମଧ୍ୟ ଦେଶର ସେନାବାହିନୀ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଚାହିଁଥିଲେ କିନ୍ତୁ କଂଗ୍ରେସ ସରକାର ସେତେବେଳେ ଅନୁମତି ଦେଇନଥିଲେ । ତକ୍ରାଳୀନ କଂଗ୍ରେସ ସରକାର ଆତଙ୍କବାଦୀ ବିରୋଧରେ କାହିଁକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଆୟୋଜିତ ଏକ ସମାବେଶରେ ମୋଦି ଏପ୍ରକାର ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଆମ ସେନାଙ୍କ ସଫଳତା ଓ ସାମର୍ଥ୍ୟକୁ ଭରସା ନକରି ପ୍ରଶ୍ନ କରୁଥିବା, ପାକିସ୍ତାନ ସରକାର ସପକ୍ଷରେ ମତ ରଖୁଥିବା ଓ ପରୋକ୍ଷରେ ପାକିସ୍ତାନକୁ ସୁଯୋଗ ଦେବାକୁ ଚେଷ୍ଟା କରୁଥିବା ନେତାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଆଯିବା ଉଚିତ୍ ବୋଲି ମୋଦି କହିଛନ୍ତି । ମୋଦି ଏହି ଅବସରରେ କହିଛନ୍ତି ଯେ, ଆମେ ଆମର ୪ଠ ବୀର ଯବାନ୍ଙ୍କୁ ପୁଲୱାମା ଆକ୍ରମଣରେ ହରାଇ ମଧ୍ୟ ଚୁପ୍ ରହିପାରିଲୁ । ପରେ ବାଲାକୋର୍ଟରେ ଆମ ବାୟୁସେନାର ଯବାନ୍ ଯାହାକଲେ ସେଥିରେ ପାକିସ୍ତାନ କାନ୍ଦିବା ଆରମ୍ଭ କରିଛି । ୪ଠ ବଦଳରେ ଆମେ ୩ଠଠରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛୁ, ଏହା ଆମ ସେନାର ସାମର୍ଥ୍ୟ । କିନ୍ତୁ ଏହା ଉପରେ ପ୍ରଶ୍ନ କରୁଥିବା ଲୋକଙ୍କୁ କିଏ ବୁଝାଇବ? ଆଜି ପାକିସ୍ତାନ ମୋଦି ମାରିଦେଲା, ମୋଦି ମାରିଦେଲା କହି ବିଳାପ କରୁଥିବା ବେଳେ ଆଉ କିଛି ଲୋକ ଭାରତର ଖାଇ ପାକିସ୍ତାନକୁ ସାହାଯ୍ୟ କରିବା କଥା କହୁଛନ୍ତି ।