୨୦୨୨ ସୁଦ୍ଧା ନିର୍ମାଣ ହେବ ନୂତନ ସଂସଦ ଭବନ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଦିଲ୍ଲୀର ନକ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ମୋଦୀ ସରକାର ଯୋଜନା କରୁଛନ୍ତି । ଏହି ଯୋଜନା ଅନୁଯାୟୀ ରାଷ୍ଟ୍ରପତି ଭବନକୁ ଲାଗି ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ନୂତନ ଆବାସ ନିର୍ମାଣ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପାଇଁ ଏକ ନୂତନ ଭବନ ନିର୍ମାଣ କରାଯିବ । ସେହିଭଳି ପୁରୁଣା ସଂସଦ ଭବନ ନିକଟରେ ଏକ ନୂଆ ସଂସଦ ଭବନ ନିର୍ମାଣ ହେବ । ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନର ସଂସଦ ଭବନ ଯାହାର ନିର୍ମାଣ କାର୍ଯ୍ୟ ୧୯୨୭ ମସିହାରେ ଶେଷ ହୋଇଥିଲା, ତାହକୁ ଭଙ୍ଗା ନ ଯାଇ ଏକ ସଂଗ୍ରହାଳୟରେ ପରିଣତ କରାଯିବ । ଏହା ନିକଟରେ ସାଂସଦମାନଙ୍କ ପାଇଁ ଏକ “ଏମ୍ପି କମ୍ପେ୍ଲକ୍ସ’ ନିର୍ମାଣ ହେବ । ଏ ବାବଦରେ ମୋଟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଶାସ୍ତ୍ରୀ ଭବନ, ଉଦ୍ୟୋଗ ଭବନ ଏବଂ କୃଷି ଭବନ ବଦଳରେ ଗୋଟିଏ ମାତ୍ର ବିଶାଳ ଅଟ୍ଟାଳିକା ନିର୍ମାଣ ହେବ, ଯେଉଁଥିରେ ୭୦ ହଜାର କେନ୍ଦ୍ର ସରକାରୀ କର୍ମଚାରୀ କାର୍ଯ୍ୟ କରିବେ । ବର୍ତ୍ତମାନ ଏସବୁ ଦପ୍ତର ୩୦ଟି ଭିନ୍ନଭିନ୍ନ କୋଠାରେ କାର୍ଯ୍ୟ କରୁଛି । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ ଅବସରରେ ଦିଲ୍ଲୀର ରୂପରେଖରେ ଅନେକ କିଛି ପରିବର୍ତ୍ତନ ଆଣିବାକୁ ମୋଦୀ ସରକାର ଯୋଜନା କରୁଛନ୍ତି । କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟକୁ ଏହି ଦାୟିତ୍ୱ ଦିଆଯାଇଛି । ଦେଶର ଖ୍ୟାତନାମା ସ୍ଥପତିମାନଙ୍କୁ ଏହାର ଡିଜାଇନ୍ ପ୍ରସ୍ତୁତ କରିବାକୁ “ସେଣ୍ଟ୍ରାଲ୍ ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ (ସିପିଡବ୍ଲ୍ୟୁଡି) ଦାୟିତ୍ୱ ପ୍ରଦାନ କରିଛି । କେତେକ ସ୍ଥପତି ମଧ୍ୟ ସେମାନଙ୍କର ନକ୍ସାକୁ ନଗର ଉନ୍ନୟନ ମନ୍ତ୍ରାଳୟରେ ଦାଖଲ କରି ସାରିଛନ୍ତି ।


