୨୧କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁଣି ଗଜପତି ଜିଲ୍ଲାରେ ୨୧କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ଜବତ କରି ପୋଡି ପାଉଁଶ କରି ଦିଆଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଆର୍.ଉଦୟଗିରି ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଚଢାଉ କରାଯାଇ ୨୧ କୋଟି ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁରୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଣ୍ଡରଙ୍ଗ ମୌଜାଅଞ୍ଚଳର ପ୍ରାୟ ୧୦୫.୬୦ ଏକର ଚାଷ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିଲା । ଏଥିରେ ପ୍ରାୟ ୨ଲକ୍ଷ ୧୧ହଜାର ୨୦୦ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ନଷ୍ଟ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ଭାବେ ନୂଆଗଡ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଲବାଣେନ୍ଦୁ ମହାନ୍ତି, ସମ୍ବଲପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିବାର ଆର୍.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ଜଣାଇଛନ୍ତି ।


