ଗଜପତିରେ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀମେଳା ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡିଆ ଠାରେ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀମେଳା ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗତକାଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ପିଏ ଆଇଟିଡିଏ ସରୋଜ କୁମାର ବେହେରା, ଜୀବୀକା ମିଶନର ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଶୋୟୀ ପ୍ରମୁଖ ଯୋଗଦେଇ ଏହିପରି ପଲ୍ଲୀଶ୍ରୀ ମେଳା ଦ୍ୱାରା ଜିଲ୍ଲାର ଗ୍ରାମାଞ୍ଚଳରେଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ କିପରି ଲାଭବାନ ହେବା ସହ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଂଚିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ୪ଦିନ ଧରି ଚାଲୁ ରହିବ । ଏହିମେଳାରେ ପ୍ରଦର୍ଶନୀ ନିମନ୍ତେ ୧୦୩ଗୋଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ ପଲ୍ଲୀଶ୍ରୀମେଳା ପାଇଁ ଅଧିକାଂଶ ଷ୍ଟଲ ଖୋଲାଯାଇଛି । ଏହି ମେଳାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ଆଚାର, ପାମ୍ପଡ, ମାଣ୍ଡିଆ, ଅଦା, ହଳଦୀ ଏବଂ ବିଭିନ୍ନ ବନଜାତ ସାମଗ୍ରୀ ସମେତ ବିଭିନ୍ନ ଘରୋଇ ଉପକରଣ, ବସ୍ତ୍ରଳାୟ ଇତ୍ୟାଦି ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ରଖାଯାଇଛି । ସେହିପରି ଖାଦ୍ୟମେଳାରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଷ୍ଟଲମାନ ଖୋଲାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ବନବିଭାଗ, ମତ୍ସ୍ୟବିଭାଗ, ଓରମାସ, ସମ୍ମନ୍ୱିତ ଆଦିବାସୀ ସଂସ୍ଥା, କୃଷି ବିଭାଗ, ଉଦ୍ୟାନ, ସ୍ୱାସ୍ଥ, ବ୍ୟାଙ୍କ, ଶିଶୁ ସୁରକ୍ଷା, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭିନ୍ନ ବିଭାଗର ଷ୍ଟଲ ଗୁଡିକ ଆକର୍ଷ ଢଙ୍ଗରେ ଖୋଲାଯାଛି । ଏହି ସବୁ ଷ୍ଟଲ ଗୁଡିକୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ୍ଦ୍ର କର ପରିଚାଳନାରେ ଆୟୋଜିତ ହୋଇଛି । ଗତକାଲି ପ୍ରଥମ ଦିନରେ ବହୁ ଜନସାଧାରଣ ଯୋଗଦେଇଥିବା ବେଳେ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ ଓ ଜିଲ୍ଲାର ପାରମ୍ପାରିକ ଆଦିବାସୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟର ଆକର୍ଷଣ ଏପରି ଥିଲା ଯେ, ପଲ୍ଲିଶ୍ରୀମେଳା ଉପଭଗ କରୁଥିବା ଜନସାଧାରଣ ନୃତ୍ୟକୁ ଦେଖି ଓ ତାର ସଙ୍ଗୀତକୁ ଶୁଣି ପ୍ରବଳ ଶୀତକାକର ସତ୍ତ୍ୱେ ତାଳେ ତାଳେ ଝୁମିଥିଲେ । ସେହିପରି ଏହି ଆଦିବାସୀ ନୃତ୍ୟରେ ମୁଖ୍ୟଅତିଥି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ପଦସ୍ଥ ଅଧିକାରୀମାନେ ଆକର୍ଷିତ ହୋଇ ନାଚି ଉଠିଥିଲେ । ଚଳିତ ପଲ୍ଲିଶ୍ରୀମେଳାର ଆୟୋଜନ ଓ ବିଭିନ୍ନ ଷ୍ଟଲ ଲୋକଙ୍କୁ ବେଶ ଆକର୍ଷିତ କରିପାରିଥିବା ଯୋଗୁଁ ମେଳାରେ ଲୋକଙ୍କ ଭିଡ ଜମିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ