୨୨ ଗୋଟି ଭାଷାରେ ଅନୁବାଦିତ ପବିତ୍ର କୋରାନ ପ୍ରଦର୍ଶନୀ
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଲାଗି ରହିଛି ୬ଷ୍ଠ ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା । ଏହି ପୁସ୍ତକ ମେଳାରେ ଅହମଦୀୟା ମୁସଲିମ ବୁକ ଷ୍ଟଲ ଇ-୨, ୪-୫ରେ ଅବସ୍ଥିତ । ଏହି ଷ୍ଟଲରେ ପ୍ରଦର୍ଶୀତ ପବିତ୍ର କୋରାନ ପ୍ରଦର୍ଶନୀ ପୁସ୍ତକ ପ୍ରେମୀଙ୍କ ଖୁବ ମନ ମୋହୁଛି । ଏହି ଷ୍ଟଲ ସମାଜକୁ ଏକ ନିଆରା ଏବଂ ଭାଇଚାରାର ବାର୍ତ୍ତା ବହନ କରୁଛି । ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁର ସୁନ୍ଦର ସନ୍ଦେଶକୁ ଜନମାନଷରେ ବିତରଣ କରୁଛି । ଏହି ପୁସ୍ତକ ମେଳାରେ ଅହମଦୀୟା ମୁସଲିମ ସଂଗଠନ ଓଡ଼ିଶା ପକ୍ଷରୁ ଧର୍ମ ସଂବନ୍ଧୀୟ ଗ୍ରନ୍ଥାବଳୀରେ ପବିତ୍ର କୋରାନ,ଶାନ୍ତିର ବାର୍ତ୍ତା,ଅହହମଦିୟତର ବାର୍ତ୍ତା,ନୋହାଙ୍କ ଧର୍ମତରୀ,ବିଶ୍ବଶାନ୍ତି ପ୍ରତିଷ୍ଠାକାରୀ ଧର୍ମ ଇସଲାମ,ରାଷ୍ଟ୍ରୀୟ ଏକତା ଓ ବିକାଶ.. ,ଇସଲାମ ଏବଂ ବିବେକ ସ୍ବାଧୀନତା,ଇଚ୍ଛାପତ୍ର,ଇସଲାମରେ ନାରୀ,ବିଶ୍ବ ସଂକଟ ଶାନ୍ତିର ପଥ, ନମାଜ ଶିକ୍ଷା,ଅଲ୍ଲାଃ ପରମବ୍ରହ୍ମ,ସ୍ବର୍ଗୀୟ ନିଷ୍ପତ୍ତି,ପ୍ରାର୍ଥନାର ଆଶୀଷ ଏବଂ ଇସଲାମୀ ନିୟମର ଦର୍ଶନ ଭଳି ଅନେକ ଆଧ୍ୟାତ୍ମିକ, ନୈତିକ, ଚାରିତ୍ରିକ ତଥା ମହାନ ଉପଦେଶାବପଳୀ ସଂବନ୍ଧୀୟ ପୁସ୍ତକ ଷ୍ଟଲରେ ଦେଖିବାକୁ ମିଳୁଛି ।ସକଳ ଧର୍ମରେ ଏକେଶ୍ବରବାଦ,ଶାନ୍ତିଦୂତ ମହାମାନ୍ୟ ପୈଗମ୍ବର ମହମ୍ମଦଙ୍କ ଜୀବନୀ,ଜିହାଦ ର ପ୍ରକୃତ ଅର୍ଥ କ’ଣ, ହିଜାବ ବା ପର୍ଦାର ମହତ୍ୱ, ବହୁବିବାହର ବାସ୍ତବିକତା,ତ୍ରିବାର ତଲାକର ବାସ୍ତବିକତା, ଅଙ୍ଗୀକୃତ ମସିହଙ୍କ ଆଗମନ ଏବଂ ତାଙ୍କୁ ସ୍ୱୀକାର କରିବାର ମହତ୍ୱ ଇତ୍ୟାଦି ପୁସ୍ତକ ଉପଲବ୍ଧ ରହିଛି । ଏହି ମେଳାରେ ପ୍ରତିଦିନ ୨ ଘଣ୍ଟିକାରୁ ୯ ଘଣ୍ଟିକା ପର୍ଯନ୍ତ ଇସଲାମ ସମ୍ବନ୍ଧୀୟ ପ୍ରଶ୍ନ-ଉତ୍ତର ତଥା ବିଶ୍ବ ସମସ୍ଯା ଓ ତାର ସମାଧାନ ବିଷୟରେ ଆଲୋଚନା କରାଯାଉଛି । ଏହା ସହିତ ଯୁଗ ଖଲିଫା ହଜରତ ମିର୍ଜା ମସରୁର ଅହମଦଙ୍କ ବିଶ୍ବଶାନ୍ତି ପ୍ରତିଷ୍ଠା ଦିଗରେ ବିଶ୍ବବ୍ୟାପୀ କାର୍ଯ୍ୟକ୍ରମର ଚର୍ଚ୍ଚା କରାଯାଉଛି ।ସକଳ ଧର୍ମ, ମହାମାରୀର ପ୍ରକୋପ, ତୃତୀୟ ବିଶ୍ୱ ଯୁଦ୍ଧ ନ ହେଉ, ସେଥିପାଇଁ ଶାନ୍ତି ପ୍ରତିଷ୍ଠା ଇତ୍ୟାଦି ବିଷୟରେ ଥିବା ମତାମତ ଓ ଚିନ୍ତାଧାରା ବିଷୟରେ ଆଲୋଚନା କରାଯାଉଛି । ଏହି ବିଷୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ବିଶେଷ ଏହି ପୁସ୍ତକମେଳାରେ ଲାଗିଥିବା ଅହମଦିୟା ସମ୍ପ୍ରଦାୟର ବୁକଷ୍ଟଲ ଆସି ଇସଲାମ ସମ୍ବନ୍ଧରେ ଜ୍ଞାନର ପରିସୀମା ବୃଦ୍ଧି କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ମୌଲାନା ନବିଦୁଲ ଫତହ, ମୌଲବି ମହମ୍ମଦ କୟୁମ,ମହଫୁଜ ଖାନ,ଅବ୍ଦୁଲ ଚାନ୍ଦ ଖାନ ପରିଚାଳନା କରିଥିବା ବେଳେ ଏମାନଙ୍କ ସହିତ ଅହମଦିୟା ମୁସଲିମ ଯୁବ ସଂଗଠନ ଓ ମହିଳା ସଂଗଠନର ଅନେକ କର୍ମକର୍ତ୍ତାମାନେ ସାହାଯ୍ୟ ଓ ସହଯୋଗ କରିଛନ୍ତି ।