୨୫ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଗଣାଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିରୋଧରେ ଆସନ୍ତା୨୫ ତାରିଖରେ ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସରକାରୀ ହସପିଟାଲ୍ ସମ୍ମୁଖରେ ହେବାକୁ ଥିବା ଗଣଧାରଣା ପରିପ୍ରେକ୍ଷୀରେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସ ଜିଲ୍ଲା କମିଟିର ଆହ୍ୱାନକୁ ସମର୍ଥନ ଜଣାଇ ବ୍ଲକ୍ କମିଟି ଓ ଆଞ୍ଚଳିକ କମିଟିଙ୍କ ସ୍ଥାନୀୟ ସରକାରୀ ହସପିଟାଲ ସମ୍ମୁଖରେ ଗଣଧାରଣାରେ ବସିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ସମସ୍ତ ସରକାରୀ ହସପିଟାଲ୍ରେ ମଂଜୁରୀପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ହୃଦରୋଗ ଓ ସ୍ନାୟୁରୋଗ ଭଳି ଗୁରୁତର ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଆୟୁଷ ହସ୍ପିଟାଲ୍ ନିର୍ମାଣ, ଏମ୍ସ ସେଟ୍ଲାଇଟ୍ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ନର୍ସିଂ ଓ ଫାର୍ମାସିଷ୍ଟ୍ କଲେଜ୍ ପ୍ରତିଷ୍ଠା କରିବା ଓ ମେଡିକାଲ୍ କଲେଜ୍ ଶିକ୍ଷାପାଇଁ ଫକୀରମୋହନ ମେଡିକାଲ୍ କଲେଜ୍ରେ ସିଟ୍ ସଂଖ୍ୟା ବୃଦ୍ଧି ଦାବିରେ ହେଉଥିବା ଏହି ଗଣଧାରଣାରେ ସମସ୍ତେ ମୁହଁରେ କଳାପଟି ବାନ୍ଧି ଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଲେଶ୍ୱରବାସୀ ଏହି ପ୍ରସ୍ତାବିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ଗୌରାଙ୍ଗ ପାଣିଗ୍ରାହୀ, ଡା. ତାରାକାନ୍ତ ନନ୍ଦ, ଶ୍ୟାମସୁନ୍ଦର ଜେନା, ପ୍ରଫୁଲ୍ଲ କୁମାର ଦାସ, ରମେଶ ଚନ୍ଦ୍ର ଜେନା, ରବି ନାରାୟଣ ଭୋଳ, ବନ୍ଦନା ବିଶ୍ୱାସ, ଗୋପୀନାଥ ଶତପଥି, ଯତୀନ୍ ପାତ୍ର, ଯଶୋଦା ନନ୍ଦନ ଆଶ୍, ଭାଗୀରଥୀ ମହାନ୍ତି ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୀତାରାମ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭରେ କମିଟିର ସଦସ୍ୟ ଦିବଂଗତ ଶ୍ରମିକ ନେତା ତାରାକାନ୍ତ ପଟ୍ଟନାୟକ ଓ ମାୟାଧର ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।