୨୬ଟି ରେଳଷ୍ଟେସନରେ ଉଡ଼ିବ ଜାତୀୟ ପତାକା

ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନଗୁଡ଼ିକରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି । ରେଳଯାତ୍ରୀଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ସୃଷ୍ଟି କରିବା ଏବଂ ରେଳ ଷ୍ଟେସନଗୁଡ଼ିକର ସୌନ୍ଦର୍ଯ୍ୟୀକରଣ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରେଳ ମନ୍ତ୍ରଣାଳୟ ନିର୍ଦେଶକ୍ରମେ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୨୬ଟି ଷ୍ଟେସନରେ ୧୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଖମ୍ବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଛି । ଏହି ଷ୍ଟେସନଗୁଡିକ ଜିଲ୍ଲା ସଦର ମହକୁମା, ଐତିହାସିକ ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ରହିଛି ।
ରାଜଧାନୀ ଭୁବନେଶ୍ୱର ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପୂର୍ବରୁ ସ୍ଥାପନ କରାଯାଇ ସାରିଛି । ଏବେ ପ୍ରସ୍ତାବିତ ଷ୍ଟେସନଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ୧୩ଟି ଷ୍ଟେସନ, ୱାଲଟିୟର ରେଳମଣ୍ଡଳର ୭ଟି ଷ୍ଟେସନ ଓ ସମ୍ବଲପୁର ରେଳମଣ୍ଡଳର ୬ଟି ଷ୍ଟେସନଠାରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ କରାଯିବ । ଭଲ ଦୃଶ୍ୟମାନ ହେଉଥିବା ପରି ଖୋଲା ସ୍ଥାନକୁ ଧ୍ୟାନରେ ରଖି ଏସବୁକୁ ପ୍ରତିଷ୍ଠା କରାଯିବ । ଖୋର୍ଧା ରାଡ ରେଳମଣ୍ଡଳର ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖାର୍ଦ୍ଧା ରୋଡ, ଖାର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର ଓ ପାରାଦୀପ, ସମ୍ବଲପୁର ରେଳମଣ୍ଡଳର ସମ୍ବଲପୁର, ବରଗଡ଼ ରୋଡ, ବଲାଙ୍ଗୀର, ନୂଆପଡ଼ା ରୋଡ, ଭବାନୀପାଟଣା ଓ ମହାସମୁନ୍ଦ, ୱାଲଟିୟର ରେଳମଣ୍ଡଳର କୋରାପୁଟ, ରାୟଗଡା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ, ବିଜୟନଗରମ୍‌, ଜଗଦଳପୁର ଓ ଦନ୍ତେୱାଡା ଷ୍ଟେସନରେ ଏହି ସବୁ ମନୁମେଣ୍ଟାଲ ତ୍ରିରଙ୍ଗା ପତାକା ପ୍ରତିଷ୍ଠା କରାଯିବ । ଭଲ ଦୃଶ୍ୟମାନ ପାଇଁ ଫୋକସ୍ ଲାଇଟ ମଧ୍ୟ ବ୍ୟବହାର କରାଯିବ । ଷ୍ଟେସନ ପ୍ରଶାସନ ଓ ରେଳବାଇ ସୁରକ୍ଷା ବଳ ଦ୍ୱାରା ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପତାକାଗୁଡିକର ରକ୍ଷଣାବେକ୍ଷଣ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ