୨୬ ଓ ୨୭ ନଭେମ୍ବର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଏବଂ କୃଷକ ପ୍ରତିବାଦ ଦିବସ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କେନ୍ଦ୍ରର ମୋଦି ସରକାର ଅମଳରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଚଣ୍ଡ ଆକ୍ରମଣ ବଢିବାରେ ଲାଗିଛି । ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଲାଣି । ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି । ପୂର୍ବରୁ ବେକାରୀ ବଢୁଥିବା ବେଳେ ଏବେ ମହାମାରୀ ସମୟରେ ବେକାରୀ, ନିଯୁକ୍ତିହୀନତା ଲାଗି ରହିଛି । ଏବେ ୧୫ କୋଟି ଲୋକ ଜୀବିକା ହରାଇଛନ୍ତି । ୨ କୋଟି ଲୋକ ନିଯୁକ୍ତି ଖୋଜି ଖୋଜି ହତାଶ ହୋଇ ପୁଣି ପ୍ରାଣ ବିକଳରେ ଗାଁ ମୁହାଁ ହେଲେଣି । ଯୁବକ-ଯୁବତୀମାନଙ୍କ ମଧ୍ୟରେ ବେକାରୀ ଅତ୍ୟନ୍ତ ଉତ୍କଟ ।୨୦ରୁ ୨୯ ବର୍ଷ ବୟସର ଯୁବ-ଯୁବତୀମାନଙ୍କ ମଧ୍ୟରୁ ୨ କୋଟି ୭୦ ଲକ୍ଷ ଯୁବକଯୁବତୀ ନିଯୁକ୍ତି ହରାଇଛନ୍ତି । ମନରେଗା କାର୍ଯ୍ୟକ୍ରମରେ ନିଯୁକ୍ତି ପ୍ରଦାନ ପ୍ରଚାରରେ ସୀମିତ । ଦରଦାମ ସ୍ଥିତି ଏବେ ଅସମ୍ଭାଳ । ପଟ୍ରୋଲ, ଡ଼ିଜେଲ ଠାରୁ ଆଳୁ, ପିଆଜ ଆଦି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦାମ ଆକାଶଛୁଆଁ । ବିଜେପି ଶାସନ କାଳରେ ଦେଶର ୫୦ଟି ଧନୀ ପରିବାରର ସମ୍ପତ୍ତି ୨୦୨୦ରେ ଶତକଡ଼ା ୧୪ ଭାଗ ବୃଦ୍ଧି ଘଟିଛି । ଦେଶର ୧ ଭାଗ ଉଚ୍ଚ ଧନୀ ପରିବାରର ସମ୍ପତ୍ତିର ପରିମାଣ ହେଉଛି ତଳେ ଥିବା ଶତକଡ଼ା ୭୦ଭାଗ ଲୋକଙ୍କ ସମ୍ପତ୍ତିର ୪ଗୁଣ ଅଧିକ । କେନ୍ଦ୍ର ଖାଦ୍ୟ ଗୋଦାମରେ ୧୦କୋଟି ଟନ ଖାଦ୍ୟଶସ୍ୟ ପଡ଼ିରହିଛି । ଲୋକଙ୍କୁ ଖାଦ୍ୟାଭାବରୁ ବଞ୍ଚାଇବା ପାଇଁ ଏହି ଖାଦ୍ୟଶସ୍ୟକୁ ଦେଶର ପ୍ରତି ପରିବାରକୁ ମୁଣ୍ଡପିଛା ୧୦କେଜି ହାରରେ ମାଗଣା ପ୍ରଦାନ କରିବା ଦାବୀକୁ ସରକାର ମାନିବାକୁ ନାରାଜ । ସେହିପରି ଆୟକର ପରିସରଭୁକ୍ତ ନଥିବା ସମସ୍ତ ପରିବାରକୁ ପ୍ରତ୍ୟେକ ପରିବାର ପିଛା ମାସିକ ୭୫୦୦ ଟଙ୍କା ଛ’ମାସ ପର୍ଯ୍ୟନ୍ତ ନଗଦ ଜମା ପ୍ରସ୍ତାବକୁ ମଧ୍ୟ ବିଜେପି ସରକାର ଗ୍ରହଣ କରୁନାହିଁ ।
ଗଣତନ୍ତ୍ରିକ, ସାମ୍ବିଧାନିକ ଓ ମାନବିକ ଅଧିକାର ଉପରେ ଚାଲିଛି ନଗ୍ନ ଆକ୍ରମଣ । ଶ୍ରମିକ, କର୍ମଚାରୀ ଓ ଶ୍ରମଜୀବୀ ଲୋକଙ୍କ ଅର୍ଜିତ ଅଧିକାର ଛଡ଼ାଇ ନିଆଯାଉଛି । ଦେଶର ୨୨ଟି ଶ୍ରମ ଆଇନ୍ରୁ ବାତିଲ କରି ୪ଟି ଶ୍ରମ କୋର୍ଡ଼ରେ ପରିଣତ କରିଦେବା ଫଳରେ ଶ୍ରମିକମାନେ ଯାହାକିଛି ଅଧିକାର ପାଉଥିଲେ, ସେଥିରୁ ବଞ୍ôଚତ ହେବେ । ବର୍ଷ ବର୍ଷ ଧରି ସାଧାରଣ ଲୋକଙ୍କ କଷ୍ଟାର୍ଜିତ ଟିକସ ପଇସାରେ ନିର୍ମିତ ରେଳବାଇ, କୋଇଲା, ବିଦ୍ୟୁତ୍, ତୈଳ, ବନ୍ଦର ଆଦି ସମସ୍ତ ସରକାରୀ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ କରି ଘରୋଇ ଦେଶୀ ବିଦେଶୀ ପୁଞ୍ଜିପତିଙ୍କୁ ବିକ୍ରି କରାଯାଉଛି । ଦେଶର କୃଷି ଓ କୃଷକଙ୍କ ଉପରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଆକ୍ରମଣ । ୧୯୫୫ ମସିହାରେ ପ୍ରଣୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍କୁ ସଂଶୋଧନ କରିବା ଯୋଗୁ ଆଳୁ, ପିଆଜ, ତେଲ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଡ଼ ବେପାରୀମାନେ ମହଜୁଦ କରି ଦର ବଢାଇଲେ ସୁଦ୍ଧା ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ପିଆଜର ଅହେତୁକ ବୃଦ୍ଧି । ପିଆଜ କିଲୋ ଏବେ ୮୦ ଟଙ୍କା, ରାଜ୍ୟ ସରକାରଙ୍କ ସହିତ କୌଣସି ପରାମର୍ଶ ନକରି କୃଷି ଆଇନ୍ରେ ପରିବର୍ତ୍ତନ କରିଛନ୍ତି । ଫଳରେ ଏଣିକି ସରକାର କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ଏବଂ ସଂଗ୍ରହ କରିବାର ଦାୟିତ୍ୱ ନେବେନାହିଁ । ବ୍ୟବସାୟୀମାନେ ଦର ସ୍ଥିର କରିବେ । ଫଳରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ମହାଜନ ପାଖରେ ବିକ୍ରୀ କରି ସର୍ବସ୍ୱାନ୍ତ ହେବ । ଠିକା ଚାଷ ବ୍ୟବସ୍ଥା ପ୍ରଚଳନ ପାଇଁ ଆଇନ୍ ହେବା ଯୋଗୁ ବଡ଼ କମ୍ପାନୀ, ଜମି ମାଲିକମାନେ ହଜାର ହଜାର ଏକର ଜମିର ମାଲିକ ହେବେ । ଚାଷୀ ନିଜ ଜମିରେ ମୂଲିଆ ହେବେ । ଏହି ପରିପ୍ରେକ୍ଷୀରେ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଫେଡ଼େରେସନ ସମୂହ ଏବଂ କୃଷକ-କ୍ଷେତ ମଦଜୁର ସଂଗଠନ ମାନଙ୍କର ୩୦୦ରୁ ଉର୍ଦ୍ଧ୍ୱ ସଂଗଠନ ନଭେମ୍ବର ୨୬ ତାରିଖ ସର୍ବଭାରତୀୟ ସାଧାରଣ ଧର୍ମଘଟ ପାଇଁ ଆହ୍ୱାନ ଜଣାଇଛନ୍ତି । ଏହା ସହିତ ୨୭ ନଭେମ୍ବରରେ ସାରା ଦେଶରେ କୃଷକମାନଙ୍କର ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯିବ । ଏହି ସାଧାରଣ ଧର୍ମଘଟ ଏବଂ କୃଷକ ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନ କରୁଛି । ଆଜିକାର ଏହି ସାମ୍ବାଦିକ ସମ୍ମିଳନୀରେ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ଅଖିଳ ଭାରତ କୃଷକ ସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ସନାତନ ପାତ୍ର, ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସମ୍ପାଦକ ଅଶୋକ ପ୍ରଧାନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ, ଅଲଇଣ୍ଡିଆ କିଷାନ ମଜୁଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅଲଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଅଲଇଣ୍ଡିଆ କ୍ଷେତ ମଜୁଦର ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ଏନ୍.ଏ.ପି.ଏମର ରାଜ୍ୟ ଆବାହକ ପ୍ରଫୁଲ୍ଲ ସାମନ୍ତରା, ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ରାଜ୍ୟ ଆବାହକ ସଚୀନ ମହାପାତ୍ର, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ଆବାହକ ବିଜୟ ସ୍ୱାଇଁ, ଚାଷୀମୂଲିଆ ସୁରକ୍ଷା ଓ ସଂଗ୍ରାମ ପରିଷଦର ଆବାହକ ବଳଭଦ୍ର ମଲ୍ଲିକ, ପ୍ରାଚୀ ଚାଷୀ ମେଳିର ଆବାହକ ଯୁବରାଜ ସ୍ୱାଇଁ, ଋଷିକୁଲ୍ୟା ରଏତ ମହାସଂଘର ସମ୍ପାଦକ ସିମାଞ୍ଚଳ ନାହାକ, ଗୋପବନ୍ଧୁ କୃଷକ ସଂଘର ଆବାହକ ବିରଞ୍ôଚ ବରିହା ପ୍ରମୁଖ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।