୨୬ ବର୍ଷ ହେଲା ସଂଶୋଧନ ହୋଇନି ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍‌

ନୂଆଦିଲ୍ଲୀ : ଦୀର୍ଘ ୨୬ ବର୍ଷ ହେଲା ବ୍ୟାଙ୍କ କର୍ମଚାରୀମାନଙ୍କ ପେନସନ୍‌ ସଂଶୋଧନ ହୋଇନାହିଁ। ଶେଷଥର ପାଇଁ ୧୯୯୩ ମସିହାରେ ବ୍ୟାଙ୍କ କର୍ମଚାରୀଙ୍କ ପେନସନ୍‌ ସଂଶୋଧନ ହୋଇଥିଲା। ବ୍ୟାଙ୍କ କମର୍ଚାରୀଙ୍କ ପାଇଁ ୧୯୯୩ ମସିହାରେ ସ୍ଥାପନ ହୋଇଥିବା ପେନସନ ପାଣ୍ଠିରେ କିନ୍ତୁ ଗଚ୍ଛିତ ରାଶି ବଢ଼ି ବଢ଼ି ଚାଲିଛି। ଏହି ରାଶି ଏବେ ୨.୪୦ ଲକ୍ଷ କୋଟିରେ ପହଞ୍ଚିଛି। କିନ୍ତୁ ଅନ୍ୟପକ୍ଷରେ ପେନସନ୍ ପାଣ୍ଠିରେ ଆବଶ୍ୟକ ଅର୍ଥ ନଥିବାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍‌ରେ ସଂଶୋଧନ ହେଉନାହିଁ ବୋଲି କୁହାଯାଉଛି। ତେବେ କର୍ମଚାରୀଙ୍କ ପେନସନକୁ ସଂଶୋଧନ କରାଯାଇ ଦୁଇଗୁଣ କରିବା ପାଇଁ ମଧ୍ୟ ପେନସନ୍‌ ପାଣ୍ଠିରେ ପର୍ଯ୍ୟାପ୍ତ ଅର୍ଥ ରହିଛି ବୋଲି ସୂଚନା ଅଧିକାର ଆଇନ ବଳରେ ନିଖିଳ କେରଳ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୂଚନା ପାଇପାରିଛି । ୨୦୧୭-୧୮ରେ ପେନସନ ବାବଦରେ ମୋଟ ୧୪୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଏହି ସମୟରେ ଉକ୍ତ ପାଣ୍ଠି ଉପରେ ୧୮୪୦୦ କୋଟି ଟଙ୍କାର ସୁଧ ଉପାର୍ଜନ ହୋଇଛି। ସୁଧ ବାବଦରେ ମିଳିଥିବା ୭୫ ପ୍ରତିଶତ ଅର୍ଥ ସବୁ କର୍ମଚାରୀଙ୍କ ପେନସନ ରାଶି ଦେବାକୁ ପର୍ଯ୍ୟାପ୍ତ ବୋଲି ଜଣାଯାଇଛି। ଦେଶରେ ଏବେ ୬.୯୧ ଲକ୍ଷ ପେନସନଭୋଗୀ ଥିବାବେଳେ ଏମାନଙ୍କ ମଧ୍ୟରୁ ୧.୨୦ ଲକ୍ଷ ପରିବାର ପେନସନ୍ ‌ଭୋଗୀ ରହିଛନ୍ତି। ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୯୯୩ ମସିହାରୁ ଇତିମଧ୍ୟରେ ୫ ଥର ସଂଶୋଧନ‌ ହୋଇଥିଲେ ମଧ୍ୟ ପେନସନଭୋଗୀଙ୍କ ପେନସନ ଥରେ ବି ସଂଶୋଧନ‌ ହୋଇନାହିଁ । ତେବେ ଚଳିତବର୍ଷ ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ପେନସନ ସଂଶୋଧନ ହୋଇଛି ବୋଲି ନିଖିଳ କେରଳ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ଉପସଭାପତି କେ ଟି ବାବୁ କହିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରତିବର୍ଷ କର୍ମଚାରୀଙ୍କ ପେନସନ ବାବଦରେ ଦରମାର ୧୦ ପ୍ରତିଶତ ଅର୍ଥ ଜମା ରଖିବାକୁ ପଡ଼ିଥାଏ। କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ୬ଟି ବ୍ୟାଙ୍କ ଏ ବାବଦରେ ଟଙ୍କାଟିଏ ଅର୍ଥ ମଧ୍ୟ ରଖିନାହାନ୍ତି। କେବଳ ସେତିକି ନୁହେଁ, ଏ ବାବଦ ଅର୍ଥକୁ ସେମାନେ ମଧ୍ୟ ସେମାନଙ୍କ ଆୟବ୍ୟୟ ଫର୍ଦ୍ଦରେ ଦର୍ଶାଇ ନାହାନ୍ତି। ଏପରିକି ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ୨୦୧୭ରେ ୮୨୫ କୋଟି ଏବଂ ୨୦୧୮ରେ ୨୬୨୦ କୋଟି ଟଙ୍କା ଅନ୍ୟ ବାବଦରେ ଖର୍ଚ୍ଚ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ