୨୭ରେ‘ଆୟୁର-ଆବେଗ’ର ରାଜ୍ୟସ୍ତରୀୟ ଚିକିତ୍ସକ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ସ୍ୱର୍ଗତଃ ଶୀତିକଣ୍ଠ ଦାସଙ୍କ ସ୍ମୃତିରେ ‘ଆୟୁର-ଅବେଗ’ ସଂଗଠନ ପକ୍ଷରୁ ବାଲେଶ୍ୱରରେ ଆସନ୍ତା ୨୭ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ସ୍ନାତକୋତ୍ତର ଶିକ୍ଷାର୍ଥୀ ସେମିନାର ଓ ଚିକିତ୍ସକ ସମ୍ମିଳନୀ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛିି । ଏନେଇ ସୂଚନା ପତ୍ର ଉନ୍ମୋଚନ ସହ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ସୂଚନା ପତ୍ର ଉନ୍ମୋଚନ କରିଥିଲେ । ଭାରତର ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ସାଧାରଣରେ ଆଦୃତ କରିବା ଓ ଏହାର ପ୍ରଚାର ପ୍ରସାର ପାଇଁ ‘ଆୟୁର-ଅବେଗ’ର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ । ଭାରପ୍ରାପ୍ତ ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ସେଣ୍ଢ ଏଥିରେ ଯୋଗଦେଇ ସମ୍ମିଳନୀର ସଫଳତା କାମନା କରିଥିଲେ । ରାଜ୍ୟର ବିଶିଷ୍ଟ ଚିକିତ୍ସକମାନେ ଆୟୁର୍ବେଦିକ ଚିକିତ୍ସାର ବିଭିନ୍ନ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ ସହ ଅସାଧ୍ୟ ରୋଗର ନୂତନ ଚିକିତ୍ସାପ୍ରଣାଳୀ ଉପରେ ନିଜର ମତ ଉପସ୍ଥାପନ କରିବେ । ଏହିଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଚିକିତ୍ସାକୁ ସୁଦୂରପ୍ରସାରୀ କରିବାରେ ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସମ୍ମିଳନୀ ଆୟୋଜକ କମିଟି ଅଧ୍ୟକ୍ଷ ଡାକ୍ତର ଶାନ୍ତନୁ ଦାସ ସୂଚନାପତ୍ର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୂଆ ଆହ୍ୱାନର ମୁକାବିଲା ପାଇଁ ସ୍ନାତକୋତ୍ତର ଶିକ୍ଷାର୍ଥୀଙ୍କୁ ଅଧିକ ଗବେଷଣା କରିବା ନିମନ୍ତେ ଏହି ସମ୍ମିଳନୀ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଆୟୁର୍ବେଦ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ସ୍ନାତକୋତ୍ତର ଶିକ୍ଷାର୍ଥୀ ଓ କୋଭିଡ କାଳରେ ସେବା ଯୋଗାଇ ଆସିଥିବା ଉତ୍ତର ଓଡ଼ିଶାର ଆୟୁଷ ଡାକ୍ତରମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆବେଗର ସଭାପତି କବି ପ୍ରଶାନ୍ତ ଦାସଙ୍କ ସମେତ ଶଶିରଞ୍ଜନ ମଲ୍ଲିକ ଓ ରାଜେଶ ଗିରି ପ୍ରମୁଖ ଆଜିର ଏହି ସୂଚନାପତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


