୨୭ ସେପ୍ଟେମ୍ବରରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଭାରତ ବନ୍ଦ ଡାକର
ଭୁୁବନେଶ୍ୱର, (ୱାଇଏନ୍ଏସ୍): ୩ କୃଷି ଆଇନ୍ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ରଦ୍ଦ କରିବା ଆଦି ଦାବି ନେଇ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ଆସନ୍ତା୨୭ ତାରିଖ ଶହୀଦ୍ ଭଗତ୍ ସିଂ ଙ୍କ ଜନ୍ମ ଦିବସରେ ଭାରତ ବନ୍ଦ ଡାକରା ଦିଆଯାଇଛି ।
ଭାରତ ବନ୍ଦକୁ ଓଡିଶାରେ ସଫଳ କରିବା ପାଇଁ ଗଣ ସଂଗଠନମାନଙ୍କର ଏକ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୧୪ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜିଲ୍ଲା ଏବଂ ବ୍ଳକ୍ ସ୍ତରରେ ପ୍ରସ୍ତୁତି ବୈଠକ, କର୍ମୀ ସଭା, ଗାଁ ବୈଠକ, ପଟୁଆର ଏବଂ ପ୍ରଚାର ପତ୍ର ବଂଟନ ଇତ୍ୟାଦି କାର୍ଯ୍ୟକ୍ରମ ହେବ । ୨୬ ସେପ୍ଟେମ୍ବରରେ ସାରା ରାଜ୍ୟରେ ମଶାଲ ଶୋଭାଯାତ୍ରା ଆୟୋଜନ କରିବା ପାଇଁ ଆହ୍ୱାନ ଦିଆଯାଇଛି । କୃଷକ ବିରୋଧୀ ୩ କୃଷି ଆଇନ୍ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ରଦ୍ଦ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଆଇନଗତ ବ୍ୟବସ୍ଥା କରିବା ସମେତ ମହିଳା, ଛାତ୍ର , ଯୁବକ, କୃଷି ଶ୍ରମିକ, ଆଦିବାସୀ, ଦଳିତ ଇତ୍ୟାଦି ସବୁ ବର୍ଗର ଦାବି ଗୁଡିକ ଏହି ବନ୍ଦ ଆନ୍ଦୋଳନରେ ଅର୍ନ୍ତଭୁକ୍ତ ହୋଇଛି । ଓଡିଶାରେ ୫୦ରୁ ଉର୍ଦ୍ଧ୍ୱ ଗଣ ସଂଗଠନ ସମର୍ଥନ ଜଣାଇ ଆଜିକାର ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ ଏବ ୨୧ ଦଫା ଦାବି ସନନ୍ଦ ଗୃହିତ ହୋଇଥିଲା ।
ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ଆହୁତ ଏହି ବୈଠକରେ କୃଷକ ନେତା ଜମେଶ୍ୱର ସାମନ୍ତାରାୟ, ଶଙ୍କର ସାହୁ, ପ୍ରତାପ ନାୟକ, ଶେଷଦେବ ନନ୍ଦ, ଅରୁଣ ଜେନା, ବଂଶୀଧର ପରିଡା, ଶ୍ରମିକ ନେତା ବିରେନ୍ଦ୍ର ପ୍ରସାଦ ଦାସ, ଜୟନ୍ତ ଦାସ, ପୁଷ୍ପା ଦାଶ, ମହେନ୍ଦ୍ର ପରିଡା, ଜନ ଆନ୍ଦୋଳନ ତରଫରୁ ପ୍ରଫୁଲ୍ଲ ସାମନ୍ତରା, ନରେନ୍ଦ୍ର ମହାନ୍ତି, ଦେବ ପ୍ରସାଦ ରାୟ ମହାପାତ୍ର, ପ୍ରଦୀପ୍ତ ନାୟକ ସମେତ ଅଭିରାମ ବେହେରା, ପୁର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ବହୁ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୃଷକ ନେତା ଶଶୀଭୂଷଣ ସ୍ୱାଇଁ ଏହି ବୈଠକରେ ସଭାପତିତ୍ୱ କରିଥିଲେ ।