+୨ ପରୀକ୍ଷା ସ୍ଥଗିତ ହବ୨୩ ମାର୍ଚ୍ଚରୁ
ବ୍ରହ୍ମପୁର : ବିଶ୍ୱ ବ୍ୟାପୀ କୋରୋନା (କୋଭିଡ-୧୯)ଭାଇରସ ସଂକ୍ରମଣର ଭୟାବହତା ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏ ସଂକ୍ରାନ୍ତରେ ପରୀକ୍ଷା ପରିଚାଳନା ହବ ସୁପରଭାଇଜର ଓ କେନ୍ଦ୍ର ତତ୍ତ୍ବାବଧାରକମାନଙ୍କ ଉଦ୍ଦେଶ୍ୟରେ ବିଧିବଦ୍ଧ ନିର୍ଦ୍ଦେଶାବଳୀ ପ୍ରକାଶ ପୂର୍ବକ ଇ.ଏମ.ଏଚ.ଗୁଡ଼ିକର ସୁରକ୍ଷାକୁ କଡ଼ାକଡ଼ି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର କୁଳମଣି ଓଝା ପ୍ରକାଶ କରିଛନ୍ତି l ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାର ଆଜି ଥିଲା ତ୍ରୟୋଦଶ ଦିବସ l ଆଜି କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ଇନଫର୍ମେସନ ଟେକ୍ନୋଲୋଜି, ବିଜ୍ଞାନ ସ୍ରୋତର କମ୍ପ୍ୟୁଟର ସାଇନ୍ସ, ବାଇଓ-ଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ, ଧନ୍ଦାମୂଳକ ଶିକ୍ଷାର ଇତିହାସ,ଆକାଉଣ୍ଟାନ୍ସି ଓ ଫିଜିକ୍ସ ପରୀକ୍ଷା ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶୃଙ୍ଖଳାର ସହିତ ଶେଷ ହୋଇଛି l ତେବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଆଜିର ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ପରୀକ୍ଷା ସମ୍ପନ୍ନ ହୋଇଛି l ଆସନ୍ତାକାଲି ଓଡ଼ିଆ ଓ ବିକଳ୍ପ ଇଂରାଜୀ ବ୍ୟତୀତ ଅନ୍ୟ ସମସ୍ତ ଆଧୁନିକ ଭାରତୀୟ ଭାଷା (ସଂସ୍କୃତ, ହିନ୍ଦୀ, ତେଲୁଗୁ, ବଙ୍ଗଳା ଓ ଊର୍ଦ୍ଦୁ) ପରୀକ୍ଷା ଯଥାରୀତି ସମ୍ପନ୍ନ ହେବ ବୋଲି ଦକ୍ଷିଣାଞ୍ଚଳ ଉପସଚିବ ଡ. ଓଝା ସୂଚନା ଦେଇଛନ୍ତି l