୨ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍ ଘଟଣା ୪ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):୨୫ ତାରିଖ ଅପରାହ୍ନରେ ନିମଖଣ୍ଡି ଥାନା, ବ୍ରହ୍ମପୁର ଓ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ମକରଝୋଳ ଛକ ନିକଟରେ ଗୋଟିଏ ଦିନରେ ୨ଟି ଛିନତାଇ ହୋଇଥିଲା । ଦୁର୍ବୃତ୍ତ ମାନେ ସଂଗଠିତ ହୋଇ ପ୍ରଥମେ ନିମଖଣ୍ଡି ଥାନା ଅଞ୍ଚଳରେ ଏବଂ ୨ ଘଣ୍ଟା ବ୍ୟବଧାନରେ ହିଞ୍ଜିଳି ଥାନା ଅଞ୍ଚଳରେ ପୁଣି ଏକ ଛିନତାଇ କରିବାରେ ସକ୍ଷମ ହୋଇଥିଲେ । ଲୁଟ୍ ଘଟଣାରେ ବୁଧବାର ହିଞ୍ଜିଳି ପୁଲିସକୁ ମିଳିଛି ସଫଳତା । ଘଟଣାରେ ସଂକ୍ତୃକ୍ତି ଅଭିଯୋଗରେ ପୁଲିସ ୨ ଲୁଟେରାଙ୍କୁ କାବୁ କରିବା ସହ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ୨ ସୁନା ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ୨ଲୁଟେରା ହେଲେ ଆସିକା ଥାନା କେ. ନୂଆଁପଲ୍ଲୀ ଗ୍ରାମର ପି. ମାଧବ(୩୨) ଓ କୋଦଳା ଥାନା ରେଞ୍ଜର କଲୋନୀର ପି. ସୁବାଷ (୨୪) । ଚୋରୀ ସୁନା କିଣିବା ଅଭିଯୋଗରେ ଗିରଫ ୨ ବ୍ୟବସାୟୀ ହେଲେ ଆସିକା ଥାନା ବଜାର ସାହିର କେ. ତାରିଣୀ ଆଚାରୀ (୩୭) ଓ ପ୍ରଶାନ୍ତ କୁମାର ମହାରଣା(୪୫) । ଅଭିଯୁକ୍ତଙ୍କ ଠାରୁ ପୁଲିସ ପ୍ରାୟ ୧୧ଗ୍ରାମ ଓଜନର ସୁନା ସମେତ ଲୁଟ୍ରେ ବ୍ୟବହୃତ ଆପାଚି ମୋଟର ସାଇକେଲ(ଓଡି୩୨ଏ ୧୯୭୭)କୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୨୦/୨୩ରେ ଏକ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ପ୍ରକାଶ ଯେ, ଗତ ୨୫ ତାରିଖ ଅପରାହ୍ନ ପ୍ରାୟ ସାଢେ ୧୨ଟାରେ ନିମଖଣ୍ଡି ଅଞ୍ଚଳର ସୁନିଲ ପାତ୍ର ଓ ତାଙ୍କ ମା ସାବିତ୍ରୀ ବାଇକ ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ୨ ଲୁଟେରା ପି.ମାଧବ ଓ ପି. ସୁବାଷ ନିଳ ରଙ୍ଗର ଆପାଚି ବାଇକ୍ ଯୋଗେ ଆସି ସାବିତ୍ରୀଙ୍କ ବେକରୁ ପ୍ରାୟ ୩ ଭରି ଓଜନର ଏକ ସୁନା ଚେନ୍ ଝାମ୍ପି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏ ନେଇ ସୁନିଲ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ସେହି ଦିନ ହିିଁ ମାତ୍ର ୨ ଘଣ୍ଟା ବ୍ୟବଧାନରେ ହିଞ୍ଜିଳି ଥାନା ଅଞ୍ଚଳରେ ପୁଣି ଏକ ଛିନତାଇ କରିଥିଲେ । ମକରଝୋଳ ଗ୍ରାମର ନାଡି ଶୁକ୍ରୁ ଓ ତାଙ୍କ ସ୍ତ୍ରୀ ନାଡି ରତ୍ନମାଳା ସ୍କୁଟି ଯୋଗେ ନିମିଗାଁରୁ ଗ୍ରାମକୁ ଫେରୁଥିବା ବେଳେ ୫୯ ନଂ ଜାତୀୟ ରାଜପଥ ମକରଝୋଳ ଛକ ନିକଟରୁ ଲୁଟେରା ଦ୍ୱୟ ମହିଳାଙ୍କ ବେକରୁ ଏକ ସୁନାର ମଙ୍ଗଳସୁତ୍ର ଝାମ୍ପି ନେଇ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଏ ନେଇ ରତ୍ନମାଳା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଥିଲା । ଲୁଟେରା ଦ୍ୱୟ ବୁଧବାର ଲୁଟ୍ ସୁନାକୁ ବିକ୍ରି କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଅର୍ତକିତ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା । ଲୁଟ୍ ସୁନାକୁ ଉଦ୍ଧାର କରିବା ସହ ଚୋରୀ ସାମଗ୍ରୀ କିଶିବା ଅଭିଯୋଗରେ ୨ ସୁନା ବ୍ୟବସାୟୀଙ୍କୁ ଗିରଫ କରିଥିଲା । ଚଢାଉରେ ହିଞ୍ଜିଳି ଥାନା ତଦନ୍ତକାରୀ ଅଧିକାରୀ ତଥା ଏସ.ଆଇ.ସିଦ୍ଧାର୍ଥ ଶଙ୍କର ଜେନା, ଗୋପାଳ କୃଷ୍ଣ ଆଗୁ ପାତ୍ର, ହାବିଲଦାର ପ୍ରମୋଦ ଗନ୍ତାୟତ, କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ ପ୍ରମୁଖ ସାମିଲ ଥିଲେ ।