୨ ମାସରେ ଭୁସୁଡିଲା ୱାଲ
ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ପୂର୍ତ ବିଭାଗ ଦ୍ୱାରା ବିଭିନ୍ନ ରାସ୍ତାଘାଟ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । କେତେକ କାର୍ଯ୍ୟ ରାଜନେତା ମାନଙ୍କ ଚିଠାରେ ଚାଲୁଥିବା ବେଳେ କେତେକ କାର୍ଯ୍ୟ ବିଭାଗ ମାଧ୍ୟମରେ ଟେଣ୍ଡର କରାଯାଉଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିନା ଟେଣ୍ଡରରେ ଏହି ବ୍ଳକରେ ଉକ୍ତ ବିଭାଗର ଅନେକ କାର୍ଯ୍ୟ ଚାଲୁଅଛି । ପୂର୍ବରୁ ଅନେକ ଠିକାଦାର ମନଇଚ୍ଛା ରାସ୍ତା ପ୍ରଶସ୍ତିକରଣ କରିବା,ମରାମତି କାର୍ଯ୍ୟ ଆଦି କରି ବିଭାଗର ପ୍ରଶସାନିକ ଅଧିକାରୀଙ୍କୁ ହାତ କରି ବିଲ ଉଠାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯାହାଫଳରେ ନିମ୍ନମାନର କାର୍ଯ୍ୟ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସେଗୁଡିକୁ ତଦନ୍ତ ନକରି ବିଲ କରିବାର ନଜିର ମଧ୍ୟ ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ୨ ମାସ ତଳେ ପୂର୍ତ ବିଭାଗର ନାଉଗାଁ-ଅରଖକୁଦ ରାସ୍ତା ପାଶ୍ୱର୍ରେ ଗାର୍ଡ ୱାଲ ନିର୍ମାଣ କରିବା । ରୋହିଆ ଅଙ୍ଗନୱାର୍ଡି କେନ୍ଦ୍ର ଠାରୁ ପ୍ରାୟ ୧୦୦ ମିଟର ଦୁରତାରେ ଏହି ୱାଲଟି କିଏ ନିର୍ମାଣ କରିଛି । ହେଲେ ସେ ବିଷୟରେ ବିଭାଗ ପାଖରେ ଖବର ନାହିଁ । କିନ୍ତୁ ୨ ମାସ ହେବ ନିର୍ମାଣ ହୋଇଥିବା ୱାଲଟି ନିମ୍ନମାନର କାର୍ଯ୍ୟ ଯୋଗୁ ଭୁସୁଡି ପଡିଥିବା ଦେଖିବାକୁ ମିଳିଛି । ସାଧାରଣତଃ ରାସ୍ତା ପାଶ୍ୱର୍ରୁ ମାଟି ନ ଖସିବା ସହିତ ରାସ୍ତାକୁ ସୁରକ୍ଷା ଦେବା ପାଇଁ ରାସ୍ତା ପାଶ୍ୱର୍ରେ ଗାର୍ଡ ୱାଲ ନିର୍ମାଣ କରାଯାଇଥାଏ । କିନ୍ତୁ ଉକ୍ତ ୱାଲ ରାସ୍ତାକୁ ସୁରକ୍ଷା ଦେବା ପରିବର୍ତେ ରାସ୍ତା ପ୍ରତି ବିପଦ ସୃଷ୍ଟି କରିଛି । ବିନା ଏଷ୍ଟିମେଂଟ ଓ ଏଗ୍ରିମେଂଟରେ ନିର୍ମାଣ ହୋଇଥିବା ଏହି ୱାଲକୁ କିଏ ଓ କାହିଁକି ନିର୍ମାଣ କରିଛି ତାହା ତଦନ୍ତ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ବିଶେଷସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସଂପୃକ୍ତ ଠିକାଦାର ବିନା ଏଗ୍ରିମେଂଟରେ କାର୍ଯ୍ୟ କରି ବିଲ କରାଇ ନେବା ମସୁଧା ଚଳାଇଥିବା ଜଣାଯାଇଛି । ଏବିଷୟରେ ପୂର୍ତ ବିଭାଗର ଏସଡିଓ ମନ୍ତୋଷ ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ବିଷୟରେ ଆମ ନିକଟରେ କୌଣସି ଏଗ୍ରିମେଂଟ କିମ୍ବା ଏଷ୍ଟିମେଂଟ କରାଯାଇ ନାହିଁ କି କାହାକୁ କାର୍ଯ୍ୟ କରିବାର ନିର୍ଦ୍ଦେଶ ଦିଆଯାଇ ନଥିବା ପ୍ରକାଶ କରିଛନ୍ତି ।


