୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ

ଦକ୍ଷିଣ ଗ୍ରୀସର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶ ବିଶେଷ ପାଇଥିଲେ । ୟୁନିଭର୍ସିଟି ଅଫ୍ ଏଥେନ୍ସ ସ୍କୁଲ୍ ଅଫ୍ ମେଡିସିନ୍ର ମାନବ ବିଜ୍ଞାନୀମାନେ ଏହି ଖପୁରିର ସନ୍ଧାନ କରିଥିଲେ । ଦୀର୍ଘବର୍ଷର ଗବେଷଣା ପରେ ଅଧିକ ନଷ୍ଟ ହୋଇଯାଇଥିବା ଏହି ଦୁଇଟି ନିଅଁଣ୍ଡଥ୍ରାଲ( ଆଦିମାନବ)ଙ୍କ ଖପୁରି ବୋଲି ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ୟୁରୋପରେ ୪୫ ହଜାର ବର୍ଷ ପୂର୍ବର ମଣିଷଙ୍କ ଜୀବାଶ୍ମ ମିଳିଥିଲା । କିନ୍ତୁ ଏହି ଖପୁରୀ ୨ ଲକ୍ଷ ୧୦ ହଜାର ବର୍ଷ ତଳର ବୋଲି ସ୍ପଷ୍ଟ ହୋଇଛି ଓ ଏହା ଆଫ୍ରିକା ବାହାରେ ରହୁଥିବା ଆଦିମାନବଙ୍କର । ଆଫ୍ରିକାରେ ୩ ଲକ୍ଷ ବର୍ଷ ପୂର୍ବରୁ ଆଦିମ ମଣିଷ ରହୁଥିଲେ ଓ ଦେଢ଼ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରୁ ୟୁରୋପକୁ ସେମାନେ ଆସିଥିବା ଯାହା କୁହାଯାଉଥିଲା ତା’ର ବହୁ ବର୍ଷ ପୂର୍ବରୁ ୟୁରୋପରେ ରହୁଥିବାର ପ୍ରମାଣ ଏହିି ଖପୁରିରୁ ମିଳିଛି । ଗବେଷଣାରେ ସାମିଲ ହୋଇଥିବା ଜର୍ମାନୀର ଟ୍ୟୁବିଂଜେନ ୟୁନିଭର୍ସିଟିର ଗବେଷକ କଟ୍ରିନା ହାର୍ବଟି କହନ୍ତି, ଏହି ମଣିଷ କାହିଁକି ବିଲୁପ୍ତ ହୋଇଗଲେ ତାହାର କାରଣ ଜଣାପଡିନି । ଏ ସମ୍ପର୍କିତ ତଥ୍ୟ ନେଚର ଜର୍ନାଲରେ ପ୍ରକାଶ ପାଇଛି । ମିଳିଥିବା ଦୁଇଟି ଖପୁରି ମଧ୍ୟରୁ ଗୋଟିକର ନାମକରଣ କରାଯାଇଛି ଏପିଡିମା-୨ । ଏହା ୧ ଲକ୍ଷ ୭୦ ହଜାର ବର୍ଷ ତଳର । ଏହା ନିଅଁଣ୍ଡଥ୍ରାଲଙ୍କ ଖପୁରି । ଏହା ପରେ ଅନ୍ୟଟିର ନାମ ରହିଛି ଏପିଡିମା-୧, ଯାହା ଏହାଠାରୁ ଆହୁରି ୪୦,୦୦୦ ବର୍ଷ ପୂର୍ବର ଅର୍ଥାତ ୨ ଲକ୍ଷ ୧୦ ହଜାର ବର୍ଷ ପୂର୍ବର ଓ ଏହା ହୋମୋ ସାମ୍ପିଏନ(ନିଅଁଣ୍ଡଥ୍ରାଲଙ୍କଠାରୁ ପୁରୁଣା ମଣିଷ)ଙ୍କ ଖପୁରି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ