୨ ହୋମ୍ ଗାର୍ଡ଼ ସମେତ ୧୦ ପଜିଟିଭ ପାଣ୍ଡିଆ ଗ୍ରାମ ସଟ୍ ଡ଼ାଉନ୍
ବ୍ରହ୍ମପୁର, (ଅନିଲ କୁମାର): ସୁଦୁର ସୁରାଟ, ମୁମ୍ବାଇ ଭଳି ଅଞ୍ଚଳରୁ କାମଧନ୍ଦା ନ ପାଇ ପ୍ରବାସୀଙ୍କ ସୁଅ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଳାକୁ ଛୁଟୁଥିବା ବେଳେ ଗତକାଲି ରାତି ଆଜି ସନ୍ଧ୍ୟା ସୁଧା ୫ ଟି ଟ୍ରେନ୍ରେ ୮,୯୫୮ ଜଣ ପ୍ରବାସୀ ପହଞ୍ଚିଥିବା ବେଳେ କେତେକ ପ୍ରବାସୀ ଖଲିକୋଟ ଓ ହୁମ୍ମା ଷ୍ଟେସନ୍ରେ ସ୍ପେଷିଆଲ୍ ଟ୍ରେନ୍ ଚେନ୍ ଟାଣି ଓହ୍ଲାଇବା ପାଇଁ ଉଦ୍ୟମ କରି ୨୦୬ ଜଣ ପ୍ରବାସୀ ଆର୍ପିଏଫ୍ ଦ୍ୱାରା ଅଟକ ରହି ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ଜଣାପଡ଼ିଛି । ସେହିପରି କୋଭିଡ-୧୯ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସ୍ଥିତ କୋଭିଡ-୧୯ ହସ୍ପିଟାଲ୍ରେ ଆଜି ସନ୍ଧ୍ୟା ସୁଦ୍ଧା ୮୨ ଜଣ ଚିକିତ୍ସିତ ହେଉଥିବା ବେଳେ ୧୧ ସୁସ୍ଥ ହୋଇ ଡ଼ାକ୍ତରଖାନା ଛାଡ଼ିଥିବା ଏବଂ ଆଜି ପୁଣି ୧୦ ଜଣଙ୍କ ଠାରେ କରୋନା ପଜିଟିଭ ଦେଖାଦେଇଥିବା ବେଳେ ସେଥିରେ ଜଗନ୍ନାଥପୁର କୋଭିଡ-୧୯ ଷ୍ଟେସନ୍ରେ କର୍ତ୍ତବ୍ୟରତ ୨ ଜଣ ଗୃହରକ୍ଷୀ ସମ୍ପୃକ୍ତ ଥିବା ଏବଂ ଆଜି ପ୍ରଶାସନ ପକ୍ଷରୁ ପୁରୁଷୋତ୍ତୋମପୁର ବ୍ଲକ୍ ପାଣ୍ଡିଆ ଗ୍ରାମକୁ ସଟ୍ଡ଼ାଉନ୍ ଘୋଷଣା କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ଲାଞ୍ଜିପଲ୍ଲୀ ଚନ୍ଦନ ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କୋଭିଡ-୧୯ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗତକାଲି ରାତିରୁ ଆଜି ସନ୍ଧ୍ୟା ସୁଦ୍ଧା ବ୍ରହ୍ମପୁର ଓ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ କେବଳ ସୁରାଟରୁ ୫ ଟି ଟ୍ରେନ୍ରେ ୮,୯୫୮ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି । ସେମାନଙ୍କୁ ଷ୍ଟେସନ୍ରେ ଆଇଆର୍ସିଟିସି ପକ୍ଷରୁ ଜଳଖିଆ ଓ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଥର୍ମାଲ ସ୍କ୍ରିନିଂ ପରୀକ୍ଷା ସହ ସାମାଜିକ ଦୂରତ୍ୱକୁ ବଜାୟ ରଖି ନିଜ ନିଜ ପଞ୍ଚାୟତ କ୍ୱାରେଣ୍ଟାଇନ୍କୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଆଜି ଶୀତଳାପଲ୍ଲୀ ଓ ପାରଳାମହାରାଜା କଲେଜ ସ୍ଥିତ କୋଭିଡ-୧୯ ହସ୍ପିଟାଲ୍ରେ ୧୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ୮୨ ଜଣ ଚିକିତ୍ସିତ ହେଉଥିବା ଏବଂ ଆଜି ଠାବ ହୋଇଥିବା ୧୦ ଜଣ ପଜିଟିଭ ଆକ୍ରାନ୍ତଙ୍କ ଠାବ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।