୩ବର୍ଷ ଧରି ମନରେଗା ପ୍ରକଳ୍ପ ଅର୍ଥ ପାଉନଥିବା ବଗଡା ଗ୍ରାମବାସୀଙ୍କ ଅନଶନ ଚେତାବନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୩ବର୍ଷ ଧରି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ଅର୍ଥ ନପାଇବାରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତବାସୀ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଆଜି ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପଞ୍ଚାୟତ ପୋଖରୀ ଖୋଳିବା, ପିଣ୍ଡି ନିର୍ମାଣ କରିବା ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେବି ସେମାନଙ୍କୁ ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସେମାନେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରାକ୍ତନ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ସାକ୍ଷାତ କରି ଲିଖିତ ଭାବେ ଅଭିଯୋଗ ପ୍ରଦାନ କରିଥିଲେବି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ । ତେଣୁ ଆଜି ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଗଡା ଗ୍ରାମପଞ୍ଚାୟତର ବଳରାମ ଷଡଙ୍ଗୀ, ଭାଗବତ ବେହେରା, ବୈଷ୍ଣବ ଚରଣ ରାଉତ, ରଘୁନାଥ ବେହେରା, କୈଳାସ ଚନ୍ଦ୍ର ପ୍ରଧାନ, ଉମେଶ ଚରଣ ନାୟକ, ଉମାକାନ୍ତ ସାହାଣି, ବାବୁଲି ସେଠୀ, କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହିତ ସେମାନଙ୍କ ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରାନଗଲେ ସେମାନେ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ । ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ବିଡିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ