ଗାନ୍ଧିଙ୍କ ମହାପ୍ରୟାଣ ଉପଲକ୍ଷେ
ବତୀ ଲିଭିଯାଉ ପଛେ….
“ବତୀ ଲିଭିଯାଉ ପଛେ, କିଛି କରିବି” । ଏଇ ବିଶ୍ୱାସ ରଖିଥିବା ମଣିଷଟି କେବେ ମୃତ୍ୟୁକୁ ଡରେ ନାହିଁ । ଅନ୍ୟ ପକ୍ଷରେ ସେ ମୃତ୍ୟୁକୁ ସହୃଦୟତା ଏବଂ ସାହସିକତାର ସହ ସାମନା କରେ । ଏକଥା କହିଥିଲେ ବତୀ ଲିଭିଯାଇଥିବା ସେଇ ମହାନ ବ୍ୟକ୍ତିତ୍ୱ, “ମହାତ୍ମା ଗାନ୍ଧି” । ମୃତ୍ୟୁର ଚାଳିଶ ବର୍ଷପୂର୍ବରୁ ଏକଦା ଜୋହନ୍ସବର୍ଗରେ ଅବସ୍ଥାନ କାଳରେ ଜଣେ ପଠାଣ ତାଙ୍କୁ ଏକ ମରଣାତ୍ମକ ଆକ୍ରମଣ କରିବେ ବୋଲି ଧମକ ଦେଇଥିଲେ । ସେଥିରେ ବିଚଳିତ ନହୋଇ ସେ କହିଥିଲେ: ରୋଗ କିମ୍ବା ସେମିତି କିଛିରେ ମରିବା ଅପେକ୍ଷା ଗୋଟିଏ ଭାଇ ହସ୍ତରେ ମୃତ୍ୟୁବରଣ କରିବା ମୋଟେ ଦୁଃଖ କଥା ନୁହେଁ । ଏଇ ପରିପ୍ରେକ୍ଷିରେ ମୁଁ ଯଦି ତା’ପ୍ରତି କ୍ରୋଧ କିମ୍ବା ଘୃଣାମୁକ୍ତ ରୁହେ, ତାହା ମୋତେ ନିଶ୍ଚୟ ଶାଶ୍ୱତ ଆନନ୍ଦ ଦେବ ।’
ମୃତ୍ୟୁକୁ ଖାତିର କରୁନଥିବା ବ୍ୟକ୍ତି କୋଉ ନିରାପତ୍ତା ପାଇଁ କେବେବି ବିକଳି ଉଠେନାହିଁ । ସେଥିପାଇଁ ତାଙ୍କ ହତ୍ୟାରେ ଅନେକ ଆଗରୁ ଯେଉଁ ଧମକ ସବୁ ଆସୁଥିଲା, ସେ ନେଇ ଯଦିଓ ଅନ୍ୟମାନେ ଚିନ୍ତିତ ଥିଲେ, ସେ କୌଣସି ପ୍ରକାର ସାମରିକ ସୁରକ୍ଷା ଅଥବା ନିରାପତ୍ତା ପାଇଁ ସାହାଯ୍ୟ ବା ସହଯୋଗକୁ ସମ୍ପୂର୍ଣ୍ଣ ଏଡାଇଦେଇଥିଲେ । ତାଙ୍କ ମତରେ ମଣିଷ ପାଇଁ ଲଢୁଥିବା ମଣିଷର ଯୀଶୁଙ୍କ ଲାଖେ ରକ୍ତ ରଂଜିତ ମୃତ୍ୟୁହିଁ ଶ୍ରେୟସ୍କର । ଏଇଥିପାଇଁ ବୋଧେ ସେ ଖ୍ରୀଷ୍ଟିୟାନ ନଥିଲେ ହେଁ ସେମାନଙ୍କ ଠାରୁ ସେ ଯୀଶୁଙ୍କୁ ଅଧିକ ପୂଜା ଓ ସମ୍ମାନ ଏବଂ ଭଲ ପାଉଥିଲେ ‘କ୍ରସ୍’କୁ ।
କୋଡ଼ିଏ ଜାନୁୟାରୀ, ୧୯୪୮ ଦିନ ପ୍ରାର୍ଥନା ପରେ ପୂର୍ବପରି ଦୀକ୍ଷାନ୍ତ ଭାଷଣ ଉପସ୍ଥିତି ଜନତାକୁ ଦେଉଥିଲାବେଳେ, ମଦନଲାଲ୍ ପାୱାର ତାଙ୍କ ପ୍ରତି ବୋମାମାଡ଼ କଲେ ଏବଂ ସେ ଅଳ୍ପକେ ବର୍ତ୍ତିଗଲେ । ତଥାପି ସେ ଅବିଚଳିତ ଭାବେ ଭାଷଣ ଦେଇ ଚାଲିଥିଲେ ଯେମିତି ତାଙ୍କର କିଛି ହୋଇନାହିଁ କି ତାଙ୍କୁ କିଛି ଘଟିନାହିଁ । ମୃତ୍ୟୁ ମୁଖରୁ ଦ୍ରେବାତ୍ ବଂଚିଯାଇଥିବାରୁ ଶ୍ରୀମତୀ ମାଉଣ୍ଟବ୍ୟାଟେନ୍ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେଥିକୁ ସେ ପ୍ରତ୍ୟୁତ୍ତରରେ ତାଙ୍କୁ କହିଥିଲେ:
ଯି ମୋତେ କେହି ଗୁଳି ଚୋଟରେ ବି ହତ୍ୟାକରେ
ଏବଂ ମୁଁ ସେ ଗୁଳିକୁ ହସିହସି ଆପଣାର କରିନିଏ,
ଯେତେବେଳେ ମୋ ହୃଦୟରେ ରାମନାମ ବାରମ୍ବାର
ମୁଁ ଗୁଂଜରୁଥାଏ, ସେତେବେଳେ ମୁଁ ଶୁଭେଚ୍ଛାର ପାତ୍ରବୋଲି ବୁଝିଯିବେ ।
ତାଙ୍କ ହତ୍ୟା ଦିନଟା ଯେତିକି ପାଖେଇ ପାଖେଇ ଆସୁଥାଏ, ସେତିକି ଅନ୍ୟମାନେ ତାଙ୍କ ପ୍ରତି ବାହ୍ୟ ଧମକ ନେଇ ବିଚଳିତ ହୋଇଉଠୁଥାନ୍ତି । ତାଙ୍କ ସେବାପାଇଁ ପାଖରେ ନାତୁଣୀ ମାନୁ ଥାଆନ୍ତି । ସେ ବିଶେଷ ଭାବରେ ସେତେବେଳେ ଭୟଭୀତ ହୋଇ ଉଠୁଥାନ୍ତି । ଗାନ୍ଧିଙ୍କ ଜୀବନ ପ୍ରତି ବିପଦ ନେଇ ସେ ଅତି ବିବ୍ରତ ହୋଇପଡ଼ିଥାଆନ୍ତି । ତାଙ୍କର ଏଇ ବିବ୍ରତ ଦେଖି ୨୯ ଜାନୁୟାରୀ, ୧୯୪୮ ତାଙ୍କ ଜୀବନର ଶେଷ ରାତ୍ରୀରେ, ସେ ନାତୁଣୀକୁ ବୁଝାଇଲେ:
ମୁଁ ଯଦି ରୋଗରେ ମରେ, ଏହା ଏକ ଘିମିରି ବା’ ମୁଖ ବ୍ରଣ ସହିତ ତୁଳନା କରାଯାଇପାରେ ଏବଂ ଏହାକୁ ତୁ’ ଚାଳର ମଥାନ ଉପରେ ଛିଡ଼ା ହୋଇ ଗର୍ଜନ କରି କହିପାରୁ ଯେ ମୁଁ ଗୋଟେ ମିଛ ମହାତ୍ମା । ଏପରି କହିବାରେ ଲୋକେ ତୋତେ କର୍କଶ ଭାଷାରେ କିଛି କହି ଗାଳି ଦେଇପାରନ୍ତି । କିନ୍ତୁ ଏ ମରଣରେ ମୋର କ’ଣ ଆତ୍ମା ଶାନ୍ତି ପାଇପାରେ ? ଅନ୍ୟପକ୍ଷରେ ୨୦ ଜାନୁୟାରୀ ପରି ଯଦି ଜଣେ ବୋମା ନିକ୍ଷେପ କିମ୍ବା ମୋ ଛାତିକୁ ଗୁଳିମାରି ମୋତେ ହତ୍ୟାକରେ, ଆଉ ସେତେବେଳେ ରାମ ନାମ ତୁଣ୍ଡରେ ଥାଏ, ଜାଣିବୁ ଯେ ମୁଁ ଜଣେ ପ୍ରକୃତ ମହାତ୍ମା । ଏଥିରେ ଭାରତୀୟମାନଙ୍କର ମଙ୍ଗଳ ହେବ ।’
ତାଙ୍କୁ ହତ୍ୟା କରାଯିବାର ତିନିଦିନ ପୂର୍ବରୁ ଗାନ୍ଧି ବିଳା ଭବନରୁ ୱାର୍ଦ୍ଧା ଏବଂ ତହିଁପରେ ପାକିସ୍ଥାନ ଯିବାରେ ଯୋଜନା କରିଥା’ନ୍ତି । ସେଇ ଯୋଜନା କଥା ମୃତ୍ୟୁର ପୂର୍ବଦିନ ନାତୁଣୀ ମାନୁ ତାଙ୍କୁ ସୂଚାଇଦେଲେ ଯେ କାଲି ସେମାନେ ୱାର୍ଦ୍ଧା ଯିବେ । ସେଥିକୁ ସିଏ କହିଥିଲେ: ‘ଯୋଜନା ଅନୁସାରେ ଯିବା କଥା ନିଶ୍ଚିତ । ହେଲେ କିଏ ଜାଣେ ? କାଲି ପାଇଁ କ’ଣ ଘଟିବାକୁ ଯାଉଛି ?’
୩୦ ଜାନୁୟାରୀ, ୧୯୪୮ । ପୂର୍ବପରି ଯଥାରୀତି ପ୍ରାର୍ଥନା ସଭା ପ୍ରାତଃ ୩.୩୦ ମିନିଟ୍ରେ ଆରମ୍ଭ ହେଲା । ଏହାପରେ ଉପସ୍ଥିତ ଜନତାଙ୍କୁ ସେ ଦୀକ୍ଷାନ୍ତ ଧାର୍ମିକ ଭାଷଣ ଦେବାକଥା । ଏଇ ସମୟରେ କେହିଜଣେ ଆସି ବାର୍ତ୍ତାଦେଲେ ଯେ କାଠିଆ ୱାର୍ଡରୁ ଦୁଇଜଣ ଯୁବକ ତାଙ୍କୁ ଦେଖାକରିବାକୁ ଅପେକ୍ଷା କରିଛନ୍ତି । ସେ ସେମାନଙ୍କୁ ଦେଖା କରିବାପାଇଁ ସମ୍ମତି ପ୍ରଦାନ କଲେ । ପ୍ରାର୍ଥନା ସରିଲା । ଦୁଇ ନାତୁଣୀ ମାନୁ ଓ ଆଭାଙ୍କ ଦୁଇ କାନ୍ଧରେ ବୋଝହୋଇ ସେ ଆଶାବାଡ଼ିଟି ଧରି ବାହାରିଲେ ପ୍ରାର୍ଥନା ସଭାଆଡ଼େ । ସେଠାରେ ଉପସ୍ଥିତ ଜନତା ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ । ସେ ହାତଯୋଡ଼ି ସେମାନଙ୍କୁ ପ୍ରତିସମ୍ମାନ ଜଣାଇଲେ । ଠିକ୍ ଏଇ ସମୟରେ ଜଣେ ଯୁବକ ଆସି ହାଜର ହେଲେ । ଗାନ୍ଧିଙ୍କ ପାଦତଳେ ମଥାନୁଆଁ ପ୍ରଣାମ ଜଣାଇଲେ । ତା’ପରେ ଅବିଚଳିତ ଭାବରେ ଖୁବ୍ ନିକଟରୁ ତିନୋଟି ଗୁଳି ମାରିଲେ । ଦୁଇଟି ଛାତିରେ ଗଳି ଚାଲିଗଲେ, ଅନ୍ୟଟି ଫୁସ୍ଫୁସ୍ ଦେଇ ଆରପଟକୁ ଗଳିଗଲା । ବାସ୍ । କହିହେବ ନାହିଁ ସେତେବେଳେ ତାଙ୍କ ମୁଖରେ ହେ ରାମ ଥିଲା କି ଯନ୍ତ୍ରଣାର ଗୋଟେ ସ୍ୱର ଥିଲା “ଆହାଃ” । ତେବେ ଯାହାହେଲେ ଗୋଟାଏ ସ୍ୱରଥିଲା ।
ଏଇ ଯୁବକ ଥିଲେ ନାଥୁରାମ୍ ଗଡ଼ସେ । ସିଏ ଗାନ୍ଧିଙ୍କୁ ବହୁତ ଭକ୍ତି ଓ ସମ୍ମାନ ଦେଉଥିଲେ । ତେବେ କାହିଁକି ସେ ଏକଥା କଲେ, ସେକଥା ଆମର ଏଠି ଆଲୋଚନାର ଅନ୍ତର୍ଭୁକ୍ତ ନୁହେଁ ।
ତେବେ ଆଲୁଅ ଲିଭିଗଲା । ଯୋଉ ବତୀ କୋଟିକୋଟି ବକ୍ଷରେ ଜଳୁଥିଲା, ଜଳୁଅଛି, ଏବଂ ଜଳୁଥିବ । ଏଥିରୁ କ’ଣ ଆମର କିଛି ଶିକ୍ଷିବାର ନାହିଁ ? କିଛି କରିବାର ନାହିଁ ?
ସାଂପ୍ରତିକ ପରିସ୍ଥିତିରେ ଗୋଟିଏ କଥା ତାଙ୍କର ଆମ ହୃଦୟକୁ ଆନ୍ଦୋଳିତ କରେ:
ଯେତେବେଳ ତୁମ ଭିତରେ ତୁମେ ଅନୁଭବ କର ଯେ,
ତୁମେ ଠିକ୍ ଏବଂ ତୁମ ଚାରିପଟେ ସବୁ ବେଠିକ୍ ଚାଲିଛି,
ସେଠି ଏତିକି ଉପସଂହାରରେ କୁହାଯାଇପାରେ ଯେ,
ସବୁଠି ଠିକ୍ ଚାଲିଛି, ତୁମଠି କିଛି ଭୁଲ ରହିଯାଇଛି ।
ଆସ ତାଙ୍କୁ ଅନୁସରଣ କରିବା । ବତୀ ଲିଭିଯାଉ ପଛେ, ଅନ୍ତତଃ କିଛି କରିବା ତ !
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍-୯୯୩୮୩୪୪୧୩୮