୩୧ ତାରିଖ ଯାଏଁ ହାଇକୋର୍ଟ କାର୍ଯ୍ୟ ବାତିଲ୍ , କେବଳ ଅତି ଜରୁରୀ ମାମଲା ହେବ ଶୁଣାଣି
କଟକ, (ଶ୍ରୀନିବାସ ରାଉତ):ରାଜ୍ୟର ଚାରୋଟି ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସିପାଲିଟିରେ ଲକ୍ ଡାଉନ୍ ଘୋଷଣା ପରିପ୍ରେକ୍ଷୀରେ ହାଇକୋର୍ଟ ଏହି ଅଞ୍ଚଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟକୁ ବାତିଲ୍ କରିଦେଇଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ନିହାତି ଜରୁରୀକାଳୀନ ମାମଲାର ଶୁଣାଣି ହୋଇପାରିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ସମୟ ମଧ୍ୟରେ କୋର୍ଟର କୈାଣସି କର୍ମଚାରୀ ମୁଖ୍ୟାଳୟ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୋର୍ଟ କାର୍ଯ୍ୟ ବାତିଲ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ଅନ୍ତରୀଣ କମିଟି ପକ୍ଷରୁ ଜାରି ପ୍ରସ୍ତାବରେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପ୍ରସ୍ତାବକୁ ବିଚାରକୁ ନେଇ ହାଇକୋର୍ଟର ଫୁଲ୍ କୋର୍ଟ ବସିଥିଲା । ଫୁଲକୋର୍ଟ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଏବଂ ରାଉରକେଲା ମ୍ୟୁନିସିପାଲିଟିରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ , ଜିଲ୍ଲା ଜଜ୍ କୋର୍ଟ , ଅନ୍ୟାନ୍ୟ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ ଗୁଡ଼ିକର କୋର୍ଟ କାର୍ଯ୍ୟକୁ ବାତିଲ୍ କରାଯାଇଛି । ଏହି ସମୟ ମଧ୍ୟରେ ହାଇକୋର୍ଟ ସମ୍ପୁର୍ଣ୍ଣ କଟକଣା ରେ ରହି କାର୍ଯ୍ୟ କରିବ । ଯେଉଁଥିରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଚାରପତି କାର୍ଯ୍ୟ କରିବେ । ଡେପୁଟି ରେଜିଷ୍ଟ୍ରାର ଙ୍କ ନିକଟରେ ଇ- ଫାଇଲ୍ କିମ୍ବା ଇ- ମେଲ୍ ଜରିଆରେ ରୁଜୁ ହୋଇଥିବା ନିହାତି ଜରୁରୀକାଳୀନ ମାମଲା ଗୁଡ଼ିକର ଭିଡିଓ କନଫରେନ୍ସସିଂ ଜରିଆରେ ଶୁଣାଣି ହେବ । ସମ୍ପୃକ୍ତ ମାମଲାର ଆଇନଜୀବୀ ମାନେ ତାଙ୍କ ଘରୁ କିମ୍ବା ଅଫିସରୁ ରହି ମାମଲା ପରିଚାଳନା କରିବେ । ଆସନ୍ତା ୨୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ପରିସର ସମ୍ପୂର୍ଣ ବନ୍ଦ୍ ରହିବ । କେବଳ ସର୍ବନିମ୍ନ ସଂଖ୍ୟକ ପ୍ରାଧିକୃତ ଅଫିସର ଏବଂ ଦାୟିତ୍ୱରେ ଥିବା କିଛି କର୍ମଚାରୀ କୋର୍ଟ ଯାଇପାରିବେ । ହାଇକୋର୍ଟର ବିଭିନ୍ନ ବିଭାଗର ଅଧୀକ୍ଷକ ମାନେ ନିଜର ଆବଶ୍ୟକତା ଅନୁସାରେ ସର୍ବନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରିବେ । ଉପରୋକ୍ତ ଚାରୋଟି ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସିପାଲିଟି ଅଧିନରେ ଆସୁଥିବା କୋର୍ଟ, ଟ୍ରିବ୍ୟୁନାଲର ଜିଲ୍ଲା ଜଜ୍ ଅବା ପ୍ରିଜାଇଡି ଅଫିସରମାନେ ସେମାନଙ୍କର ଇଛାଧିନ କ୍ଷମତା ଅନୁସାରେ କୋର୍ଟ କାର୍ଯ୍ୟ ପରିଚାଳନା କରିବେ । ସେମାନେ ଚାହିଁଲେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିପାରିବେ ।