୩୧ ଦିନରେ ୧ କୋଟି କିଲୋଗ୍ରାମର ସଂଗ୍ରହ ହେବ ପ୍ଲାଷ୍ଟିକ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶକୁ ପରିଷ୍କାର, ପରିଚ୍ଛନ୍ନ ଏବଂ ବର୍ଜ୍ୟବସ୍ତୁ ଗୁଡ଼ିକୁ ମୁକ୍ତ ରଖିବା ସହ ନାଗରିକମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷାକୁ ନେଇ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୧ ତାରିଖରୁ ଆକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧାର ତତ୍ତ୍ୱାବଧାନରେ ଏହାକୁ କାର୍ଯ୍ୟକାରୀ କରାଯିବ । ୩୧ ଦିନ ଭିତରେ ୧୦ଟି ବ୍ଲକରୁ ପାଖାପାଖି ୧ କୋଟି କିଲୋଗ୍ରାମର ଏକକ ବ୍ୟବହାର ପ୍ଲାଷ୍ଟିକ୍ ସଂଗ୍ରହ କରାଯିବ । ଏତଦ୍ସହ ପର୍ଯ୍ୟଟନସ୍ଥଳୀ, ଶିକ୍ଷାନୁଷ୍ଠାନ, ବସଷ୍ଟାଣ୍ଡ, ରେଳଷ୍ଟେସନ ଏବଂ ଏହାର ଆଖପାଖ ଜାତୀୟ ରାଜପଥ, ଐତିହାସିକ ଏବଂ ଐତିହ୍ୟସ୍ଥଳୀ, ଧାର୍ମିକସ୍ଥାନ, ଡ଼ାକ୍ତରଖାନା ଏବଂ ଜଳଉତ୍ସ ଇତ୍ୟାଦି ସ୍ଥାନଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରିବା ଲାଗି ସମାଜର ସମସ୍ତ ବର୍ଗ, ପଞ୍ଚାୟତିରାଜ ଅନୁଷ୍ଠାନ, ଅଣ ସରକାରୀ ଅନୁଷ୍ଠାନ, ସିଭିଲ୍ ସୋସାଇଟି ସଂଗଠନ, ଯୁବ ଅନୁଷ୍ଠାନ ଏଥିରେ ସାମିଲ ହେବେ । ଜନଭାଗିଦାରୀ ମାଧ୍ୟମରେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିବର୍ତ୍ତନ ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଐତିହ୍ୟ ସଂପନ୍ନ ଖଣ୍ଡଗିରି ପାହାଡ଼ ପାଦଦେଶଠାରେ ଅକ୍ଟୋବର ୧ ତାରିଖରେ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରାଯିବ ବୋଲି ଜଣାପଡ଼ିଛି ।


