୩୧ ଯାଏଁ ଚାଲିବ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା ଚଳିତ ମାସ ୩୧ ତାରିଖ ଯାଏଁ ଚାଲିବ । ସାଧାରଣ ଲୋକଙ୍କର ଉତ୍ସାହକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରା ତାରିଖକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି କାର୍ଯ୍ୟକ୍ରମ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବାର ଥିଲା । ଗାନ୍ଧୀ ଜୟନ୍ତୀ ଅବସରରେ ଚଳିତ ମାସ ୨ ତାରିଖରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଜେଡି ସୁପ୍ରିମୋ କର୍ମୀଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପଦଯାତ୍ରାରେ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏହି ଅବସରରେ ନବୀନ ଉଦବୋଧନ ଦେଇ କହିଥିଲେ ଯେ, ଦଳର ସବୁ କାର୍ଯ୍ୟକ୍ରମ ଭିତରୁ ସମାଜସେବା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ ।