୩୫ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାର ପ୍ରଥମ ଇକୋପାର୍କ

କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତର ମାଳ ସାତଭଉଣୀ ପୀଠରେ ୩୫ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାର ସର୍ବ ପ୍ରଥମ ଇକୋ ପାର୍କ ସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଏହି ଅବସରରେ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ବର୍ମା ଚାରିଗାଁର ମାଳ ସାତଭଉଣୀ ପୀଠରେ ପହଁଚି ସେଠାରେ ଥିବା ପ୍ରାୟ ୩୦ଏକର ସରକାରୀ ଜମିକୁ ବୁଲି ଦେଖିବା ସହିତ ସେଠାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ମା’ଙ୍କ ଉତ୍ସବରେ ପ୍ରାୟ ଏକଲକ୍ଷ ଲୋକଙ୍କ ସମାଗମ ହେଉଥିବାରୁ ସେହିସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳି କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏତଦଭିନ୍ନ ସେଠାରେ ଏକ ପୁଷ୍ପ ଉଦ୍ୟାନ କରାଯିବା ସହ ୧୦ଲକ୍ଷ ଟଙ୍କା ବ୍ୟୟରେ ଏକ ମଡେଲ ପୋଖରୀ ମଧ୍ୟ ଖୋଳାଯିବ । ଇନ୍ଦୁପୁର ଆର.ଡି.ରାସ୍ତା ଠାରୁ ଚାରିଗାଁ ,ଜୟଚନ୍ଦ୍ରପୁର ଦେଇ ଢୋଲ ଗ୍ରାମକୁ ସଂଯୋଗ କରାଗଲେ କେନ୍ଦ୍ରାପଡା ବ୍ଲକର ଧୂମାତ, ଘାଘରା, ଚାରିଗାଁ, କୋରୋ, ସାନମାଣିତିଆ ପଂଚାୟତ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ତରଡିପାଳ,ଅଳପୁଆ ଭଳି ୫/୬ଟି ଧୋୟା ପଂଚାୟତର ଲୋକମାନେ ସେହିରାସ୍ତା ଦେଇ ସୁବିଧାରେ ଜିଲ୍ଲା ସଦର ମହକୁମାରେ ପହଁଚି ପାରିବେ । ଏହି ରାସ୍ତାକୁ ଆର.ଡି. ବିଭାଗକୁ ହସ୍ତାନ୍ତର ନିମନ୍ତେ ପଂଚାୟତ ସମିତି ପକ୍ଷରୁ ଅନୁମୋଦନ କରାଯାଇ ଆର.ଡି. ବିଭାଗକୁ ପଠାଯାଇଛି । କେନ୍ଦ୍ରାପଡା ବ୍ଲକ ପକ୍ଷରୁ ମଧ୍ୟ ମାଳ ସାତଭଉଣୀ ପୀଠକୁ ପର୍ଯ୍ୟଟନ ସ୍ଥଳୀ କରାଯିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଇକୋ ପାର୍କ ପ୍ରତିଷ୍ଠା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଚାରିଗାଁ,ଜୟଚନ୍ଦ୍ରପୁର ଗ୍ରାମର ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ । ସେଠାରେ ପୂର୍ବତନ ବରି-ଡେରାବିଶି ବିଧାୟକ ଚିନ୍ମୟ ପ୍ରସାଦ ବେଉରା,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଜିଲ୍ଲା ପରିଷଦ ସଭ୍ୟା ରେଶ୍ମୀ ଚକବର୍ତ୍ତୀ,ସରପଂଚ ଭାରତୀ ମଲ୍ଲିକ,ସମିତି ସଭ୍ୟ ହେମନ୍ତ ମଲ୍ଲିକ,ବିଡିଓ ସୁଧିର କୁମାର ସିଂ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ,କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ରଙ୍କ ସମେତ ଆଖପାଖ ୪ଟି ପଂଚାୟତର ପ୍ରତିନିଧି ଓ ୫ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହିତ ମା’ମାଳ ସାତଭଉଣୀ ପୀଠର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ